ରାଜସ୍ବ ଆଦାୟ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ସଂଗ୍ରହରେ ବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨୦୧୯-୨୦ ତୁଳନାରେ ୨୦ ପ୍ରତିଶତ ରାଜସ୍ବ ବୃଦ୍ଧି ପାଇଛି। ୨୦୨୦-୨୧ରେ ରାଜସ୍ବ ଆଦାୟ ୫୬,୩୬୩ କୋଟି ଟଙ୍କା ହୋଇଛି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଛି। ବୈଠକରେ ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା ରାଜ୍ୟର ରାଜସ୍ବ ଆଦାୟ ସମ୍ପର୍କରେ ଏହି ସୂଚନା ଦେଇଥିଲେ। ୨୦୨୧-୨୨ ଆର୍ଥତ୍କବର୍ଷ ଲାଗି ଗତବର୍ଷ ତୁଳନାରେ ୧୫% ଅଧିକ ରାଜସ୍ବ ସଂଗ୍ରହ କରିବାକୁ ମୁଖ୍ୟ ଶାସନ ସଚିବ ଟାର୍ଗେଟ ଦେଇଛନ୍ତି। ସେଥିରୁ ଚଳିତ ଆର୍ଥିକବର୍ଷରେ ନିଜସ୍ବ ଟିକସ ବାବଦରେ ୪୦ ହଜାର କୋଟି ଏବଂ ଅଣ ଟିକସରୁ ୨୧ ହଜାର ୫୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଚଳିତ ବଜେଟରେ ନିଜସ୍ବ ଟିକସ ଆଦାୟ ୩୭,୫୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଅଣ ଟିକସ ବାବଦରେ ୨୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ସାମାଜିକ ସୁରକ୍ଷା, ପୁଞ୍ଜି ବିନିଯୋଗ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଅଧିକ ରାଜସ୍ବର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଅର୍ଥ ବିଭାଗ ସଚିବ ମୀନା କହିଛନ୍ତି ଯେ ୫-ଟି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ୯୫% ଟିକସ ଇଲେକ୍ଟ୍ରୋନିକ ମୋଡ୍‌ ଜରିଆରେ ସଂଗ୍ରହ କରାଯାଉଛି। ଏହା ଟିକସଦାତାଙ୍କ ପାଇଁ ସହଜ ହେଉଛି। ରାଜସ୍ବ ସଂଗ୍ରହ ଉପରେ ଧ୍ୟାନଦେବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପସଂସ୍ଥାଗୁଡ଼ିକ ଉପରେ ଥିବା ଜଳ କର ଏବଂ ବିଦ୍ୟୁତ୍‌ ଶୁଳ୍କ ବକେୟାକୁ ଆପୋସ ବୁଝାମଣା ଏବଂ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଖାଦ୍ୟ ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା, ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଏବଂ ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ ପ୍ରମୁଖ ଯୋଗ ଦେଇଥିଲେ।

Share