Categories: ବାଣିଜ୍ୟ

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨୪।୯ : ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସମୟରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ୍‌ ଯୋଗାଣ ପାଇଁ ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି। ଏପରିକି ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଅଂଶ ଭାବେ ଟିପିସିଓଡିଏଲ୍‌ ପକ୍ଷରୁ ଅସ୍ଥାୟୀ ଢାଞ୍ଚା ଓ ପେଣ୍ଡାଲ ପାଇଁ କେତେକ ପଦକ୍ଷେପ ଏବଂ ଆବଶ୍ୟକ ସୁରକ୍ଷା ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେହିଭଳି ଉତ୍ସବ ଋତୁରେ ସୁରକ୍ଷା ଓ ଭରସାଯୋଗ୍ୟତାକୁ ସୁନିଶ୍ଚିତ କରିବା ପାଇଁ ପୂଜା ପେଣ୍ଡାଲ ଓ ଅସ୍ଥାୟୀ ଦୋକାନ ଲାଗି କେବଳ ଟିପିସିଓଡିଏଲ୍‌ର ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କଠାରୁ ବିଦ୍ୟୁତ୍‌ ସଂଯୋଗ ହାସଲ କରିବା ନିମନ୍ତେ ଆୟୋଜକ ଓ ଦୋକାନୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସୁରକ୍ଷାକୁ ସୁନିଶ୍ଚିତ କରିବା ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ରହିଛି। ବିଶେଷକରି ଉତ୍ସବ ଋତୁକୁ ଉଭୟ ଉଲ୍ଲାସପୂର୍ଣ୍ଣ ଓ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସୁରକ୍ଷିତ କରିବା ସହିତ ସ୍ବୀକୃତିପ୍ରାପ୍ତ ବିଦ୍ୟୁତ୍‌ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ଯଥାର୍ଥ ଭାବେ ପାଳନ କରିବା ପାଇଁ ଆମେ ହୃଦୟରୁ ଜନସାଧାରଣଙ୍କୁ ଆହ୍ବାନ ଦେଉଛୁ। ଏପରିକି ଜରୁରିକାଳୀନ ପରିସ୍ଥିତିରେ ବିନା କୌଣସି ଦ୍ୱିଧାରେ ଆମ ଦେୟମୁକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ।

Share