Categories: ଜାତୀୟ

ମଣିପୁରରେ ଲାଗୁ କରିଦିଅ ରାଷ୍ଟ୍ରପତି ଶାସନ: ଥରୁର…

ଇମ୍ଫାଲ,୭।୫ : ଉତ୍ତର-ପୂର୍ବ ମଣିପୁରରେ ହିଂସା ପରେ ପରିସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହଜାର ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ଏମପି ଶଶି ଥରୁର ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ଥରୁର କହିଛନ୍ତି, ଏଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସୁଛି। ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି ସେମାନେ ଏଠାରେ ଭୋଟରଙ୍କୁ ଠକିଛନ୍ତି।

ଭୋଟରଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛିି। ଏହା ବ୍ୟତୀତ ଅନ୍ୟ କିଛି ବିକାଶ କରାଯାଇ ନାହିଁ। ଭୋଟରଙ୍କୁ ଭୋଟ ଦେବା ପାଇଁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି,ପୂରଣ ହେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ମଣିପୁରରେ ହୋଇଥିବା ହିଂସା ପରଠାରୁ ପ୍ରାୟ ୫୫ ଜଣ ଲୋକଙ୍କ ଜୀବନ ଗଲାଣି। ଅନେକ ଲୋକ ଆହତ ହୋଇଛନ୍ତି। ମଣିପୁରରେ ୧୩ ହଜାରରୁ ଅଧିକ ଲୋକଙ୍କୁ ହିଂସା ପ୍ରଭାବିତ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସୁରକ୍ଷା ବାହିନୀର ଅନେକ କମ୍ପାନୀ ନିୟୋଜିତ ହୋଇଥିଲେ। ଏଥି ସହିତ କେନ୍ଦ୍ର ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀର ୨୦ଟି କମ୍ପାନୀ ପଠାଇଛନ୍ତି। ଧୀରେ ଧୀରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି।

ମଣିପୁରର ଚୁରାଚାନ୍ଦପୁରରୁ କର୍ଫ୍ୟୁ ଉଠାଯାଇଛି। ଏଠାରେ ୩ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ମେ ୩ ରେ ଏଠାରେ ହିଂସା ଆରମ୍ଭ ହୋଇଥିଲା ଯେତେବେଳେ ଆଦିବାସୀ ଛାତ୍ର ସଂଘ ମଣିପୁର ଚୁରଚାନ୍ଦପୁରର ତୋରବାଙ୍ଗରେ ଏକ ଆଦିବାସୀ ଏକତା ପଦଯାତ୍ରା କରିଥିଲେ। ଏହା ପରେ ଆଦିବାସୀ ଏବଂ ଅଣ ଆଦିବାସୀଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା।

Share