ୟୁକ୍ରେନ ପତାକାକୁ ଚୁମ୍ବନ ଦେଲେ ପୋପ

ଭାଟିକାନ୍‌ ସିଟି,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୪୦ରୁ ଅଧିକ ଦିନ ହେବ ଯୁଦ୍ଧ ଚାଲିଛି। ନିକଟ ଅତୀତରେ ୟୁକ୍ରେନର ବୁଚା ସହରରୁ ଅନେକ ମୃତଦେହ ମିଳିଥିଲା ଏବଂ ବର୍ତ୍ତମାନ ସୁଦ୍ଧା ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲିଛି। ୟୁକ୍ରେନ ମିଡିଆ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ମୃତଦେହ ମିଳିଛି। ସେପଟେ ପୋପ ଫ୍ରାନ୍ସିସ ୟୁକ୍ରେନର ବୁଚା ସହରରୁ ଆସିଥିବା ୟୁକ୍ରେନ ପତାକାକୁ ଚୁମ୍ବନ ଦେଇ ଯୁଦ୍ଧ ବନ୍ଦ କରିବାକୁ ପୁନର୍ବାର ନିବେଦନ କରିଛନ୍ତି।
ପୋପ ଫ୍ରାନ୍ସିସ ଭାଟିକାନ୍‌ ସିଟିରେ ପହଞ୍ଚିଥିବା ୬ଜଣ ୟୁକ୍ରେନ ପିଲାଙ୍କୁ ସ୍ବାଗତ କରି ସେମାନଙ୍କୁ ଏକ ବଡ ଇଷ୍ଟର ଅଣ୍ଡା ଚକୋଲେଟ ଦେଇଥିଲେ। ୟୁକ୍ରେନବାସୀଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ପିଲାମାନଙ୍କୁ ନିଜ ଘର ଛାଡି ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିବା ପାଇଁ ହଜାରେ କିଲୋମିଟର ଯାତ୍ରା କରିବାକୁ ପଡିଛି।
ୟୁକ୍ରେନର ବୁଚା ଠାରେ ବହୁ ସଂଖ୍ୟକ ମୃତଦେହ ମିଳିବା ସହ ଜଡିତ ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଏହି ରିପୋର୍ଟ ଆମକୁ ବିବ୍ରତ କରିଛି। ଏହି ହତ୍ୟାକାଣ୍ଡକୁ ଆମେ ନିନ୍ଦା କରୁଛୁ। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଆମେ ଆହ୍ବାନକୁ ସମର୍ଥନ କରୁଛୁ। ଏହାପୂର୍ବରୁ ୟୁଏନଏସସିରେ ୟୁକ୍ରେନର ବୁଚା ସହରରେ ହୋଇଥିବା ହତ୍ୟାକାଣ୍ଡକୁ ଭାରତ ମଧ୍ୟ ନିନ୍ଦା କରିଛି।

Share