Categories: ଖେଳ

କୁଲଦୀପଙ୍କ ପ୍ରଭାବୀ ବୋଲିଂ

ଗୁଏନା,୯ା୮(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟି୨୦ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଦୃଢ ପ୍ରଦର୍ଶନ। କୁଲଦୀପ ଯାଦବ ପ୍ରଭାବୀ ବୋଲିଂ କରିବା ସହିତ ୩ ଉଇକେଟ ନେଇଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୧୫୯ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ବ୍ରାଣ୍ଡନ କିଙ୍ଗ ସର୍ବାଧିକ ୪୨ ରନ୍‌ କରିଥିବା ବେଳେ ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ଉଇକେଟ ନେଇଥିଲେ।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଦୁଇ ଓପନର ପ୍ରଥମ ଉଇକେଟରେ ୫୫ ରନ୍‌ ଯୋଡିଥିଲେ। ବ୍ରାଣ୍ଡନ୍‌ କିଙ୍ଗ ସର୍ବାଧିକ ୪୨ ରନ୍‌ ସ୍କୋର କରିଥିବା ବେଳେ ଅନ୍ୟତମ ଓପନର କାଇଲ ମେୟର୍ସ ୨୫ ରନ୍‌ କରିଥିଲେ। ଅକ୍ଷର ପଟେଲଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ମେୟର୍ସ ଆଉଟ ହୋଇଥିଲେ। ଏହାର ଦୁଇ ଓଭର ପରେ ୧୨ ରନ୍‌ କରି ଜନସନ୍‌ ଚାଲର୍‌ସ ଆଉଟ ହୋଇଥିଲେ। ଗତ ମ୍ୟାଚ୍‌ର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ନିକୋଲାସ ପୁରନ(୨୦) ଓ ବ୍ରାଣ୍ଡନ କିଙ୍ଗ ତୃତୀୟ ଉଇକେଟରେ ୩୦ ରନ୍‌ ଯୋଡିଥିଲେ। ୧୫ ତମ ଓଭରରେ ୪ ବଲ ବ୍ୟବଧାନରେ କୁଲଦୀପ ଯାଦବ ଉଭୟ ଖେଳାଳିଙ୍କୁ ଆଉଟ କରିଥିଲେ। ପୁରନ୍‌ ୧୨ ବଲ୍‌ ଖେଳି ୨ ଚୌକା ଓ ୧ ଛକା ସହ ୨୦ ରନ୍‌ କରିଥିଲେ। ଅନ୍ୟ ପକ୍ଷରେ କିଙ୍ଗ ୪୨ ବଲ୍‌ ଖେଳି ୫ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ ଅଧିନାୟକ ରୋଭମାନ ପାଓ୍ବେଲଙ୍କ ଦ୍ରୁତ ୪୦ ରନ୍‌ ବଳରେ ଘରୋଇ ଦଳ ୧୫୯ ରନରେ ପହଞ୍ଚିଥିଲା। ପାଓ୍ବେଲ ୧୯ ବଲ୍‌ ଖେଳି ୪୦ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୧ ଚୌକା ଓ ୩ ଛକା ସାମିଲ ଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷର ପଟେଲ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୧୫୯/୫ (ବ୍ରାଣ୍ଡନ୍‌ କିଙ୍ଗ-୪୨, ରୋଭମାନ ପାଓ୍ବେଲ-୪୦*, କାଇଲ ମେୟର୍ସ-୨୫, କୁଲଦୀପ ଯାଦବ-୩/୨୮, ମୁକେଶ କୁମାର-୧/୧୯, ଅକ୍ଷର ପଟେଲ-୧/୨୪)।

Share