Categories: ଖେଳ

ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ

କଲମ୍ବୋ,୧୩ା୯: ଭାରତ ବିପକ୍ଷ ଏସିଆ କପ୍‌ ସୁପର୍‌-୪ ମ୍ୟାଚ୍‌ରେ ଶ୍ରୀଲଙ୍କା ସ୍ପିନ ବୋଲର ଆଧିପତ୍ୟ ବିସ୍ତାର କରିଛନ୍ତି। ଶ୍ରୀଲଙ୍କାର ୩ ସ୍ପିନର ମିଳିତ ଭାବରେ ୧୦ ଉଇକେଟ ଅକ୍ତିଆର କରିବାରୁ ଭାରତ ୪୯.୧ ଓଭରରେ ୨୧୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ୧୦ ହଜାର ରନ୍‌ ପୂରଣ କରିଥିବା ଅଧିନାୟକ ରୋହିତ ଶର୍ମା ଭାରତ ପକ୍ଷରୁ ସଫଳ ଖେଳାଳି ଭାବରେ ୫୩ ରନ୍‌ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍‌ ଓ୍ବେଲାଲାଗେ ୫ ଉଇକେଟ ନେଇଥିଲେ। ଜବାବରେ ଖବର ପ୍ରସ୍ତୁତ ସୁଦ୍ଧା ୨୬ ଓଭରରେ ୬ ଉଇକେଟ ହରାଇ ୧୦୪ ରନ୍‌ ସଂଗ୍ରହ କରିଛି।
ରୋହିତଙ୍କ ତୃତୀୟ ଅର୍ଦ୍ଧଶତକ: ମଙ୍ଗଳବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ। ଶୁବମାନ୍‌ ଗିଲ୍‌(୧୯)ଙ୍କୁ ସାଥୀ କରି ରୋହିତ ପ୍ରଥମ ଉଇକେଟରେ ୮୦ ରନ୍‌ ଯୋଡି ଭାରତକୁ ଏକ ଭଲ ଆରମ୍ଭ ପ୍ରଦାନ କରିଥିଲେ। ରୋହିତ କ୍ରମାଗତ ତୃତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପୂର୍ବରୁ ସେ ନେପାଳ ଓ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ। ୪୮ ବଲ୍‌ ଖେଳି ୫୩ ରନ୍‌ ସ୍କୋର କରିଥିବା ରୋହିତଙ୍କ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୨ ଛକା। ଏହି ଇନିଂସ ସହିତ ଷଷ୍ଠ ଭାରତୀୟ ଭାବରେ ସେ ଦିନିକିଆରେ ୧୦ ହଜାର ରନ୍‌ ମଧ୍ୟ ସମ୍ପୂର୍ଣ୍ଣ କରିଥିଲେ। ତେବେ ସ୍ପିନରଙ୍କୁ ଆକ୍ରମଣକୁ ଆସିବା ପରେ ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦୁନିଥ ଓ୍ବେଲାଲାଗେ ଲଗାତାର ୩ ଓଭରରେ ଗିଲ୍‌, ରୋହିତ ଶର୍ମା ଓ ପୂର୍ବ ମ୍ୟାଚ୍‌ର ଶତକ ହାସଲକାରୀ ବିରାଟ କୋହଲିଙ୍କୁ ଆଉଟ କରିଥିଲେ। ୯୧ ରନ୍‌ରେ ୩ ଉଇକେଟ ହରାଇବା ପରେ ଲୋକେଶ ରାହୁଲ(୩୯) ଓ ଇଶାନ କିଶନ(୩୩) ଚତୁର୍ଥ ଉଇକେଟରେ ୬୩ ରନ୍‌ ଯୋଡିଥିଲେ। ରାହୁଲ ୪୪ ବଲ୍‌ ଖେଳି ୨ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ କିଶନ ୬୧ ବଲ୍‌ ଖେଳି ୧ଚୌକା ଓ ୧ ଛକା ମାରିଥିଲେ।
ସ୍ପିନରଙ୍କୁ ୧୦ ଉଇକେଟ: ଶ୍ରୀଲଙ୍କାର ସ୍ପିନର ୧୦ ଉଇକେଟ ଅକ୍ତିଆର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଷଷ୍ଠ ଥର ପାଇଁ ଏଭଳି ଘଟିଥିଲା। ଦୁନିଥ ଓ୍ବେଲାଲାଗେ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ଅନ୍ୟ ପକ୍ଷରେ ପାର୍ଟ ଟାଇମ ସ୍ପିନର ଚରିଥ୍‌ ଅସଲଙ୍କା ୪ ଉଇକେଟ ନେଇଥିଲେ। ଏକଦା ୧୭୦ ରନ୍‌ରେ ୪ ଉଇକେଟ ହରାଇଥିବା ଭାରତ ଅନ୍ତିମ ୬ ଉଇକେଟ ମାତ୍ର ୪୩ ରନରେ ହରାଇଥିଲା। ଅକ୍ଷର ପଟେଲ ୨୬ ରନ୍‌ କରିବା ସହିତ ୧୦ମ ଉଇକେଟରେ ମହମ୍ମଦ ସିରାଜ(୫*)ଙ୍କ ସହ ୨୭ ରନ୍‌ ଯୋଡିଥିଲେ। ଭାରତୀୟ ଦଳ ୨୧୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
୨୧୪ ରନର ପିଛା କରୁଥିବା ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶପ୍ରୀତ୍‌ ବୁମରା ଓ ମହମ୍ମଦ ସିରାଜ ଘାତକ ବୋଲିଂ କରିବାରୁ ଶ୍ରୀଲଙ୍କା ମାତ୍ର ୨୫ ରନ୍‌ରେ ୩ ଉଇକେଟ ହରାଇଥିଲା। ପାଥୁମ ନିଶଙ୍କା(୬), ଦିମୁଥ କରୁଣାରତ୍ନେ(୨) ଓ କୁଶାଲ ମେଣ୍ଡିସ୍‌(୧୫) ସହଜରେ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ୪୩ ରନ୍‌ ଯୋଡି ଇନିଂସ ସଜାଡିବାକୁ ପ୍ରୟାସ କରିଥିଲେ ସାଦିରା ସମରବିକ୍ରମା(୧୭) ଓ ଚରିଥ ଅସଲଙ୍କା(୪୩)। ଉଭୟ ଖେଳାଳିଙ୍କୁ ଦୁଇ ଓଭର ମଧ୍ୟରେ ଆଟ କରିଥିଲେ କୁଲଦୀପ୍‌ ଯାଦବ। ଖବର ପ୍ରସ୍ତୁତ ସୁଦ୍ଧା ଶ୍ରୀଲଙ୍କା ୨୬ ଓଭରରେ ୬ ଉଇକେଟ ହରାଇ ୧୦୪ ରନ୍‌ ସଂଗ୍ରହ କରିଛି। ଧନଞ୍ଜୟ ଡି ସିଲ୍‌ଭା ୨୨ ଓ ଓ୍ବେଲାଲାଗେ ୩ ରନ୍‌ରେ ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍‌ରା ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୪୯.୧ ଓଭର ୨୧୩/୧୦ (ରୋହିତ ଶର୍ମା-୫୩, ଲୋକେଶ ରାହୁଲ-୩୯,ଇଶାନ କିଶନ-୩୩, ଦୁନିଥ ଓ୍ବେଲାଲାଗେ-୫/୪୦, ଚରିଥ୍‌ ଅସଲଙ୍କା-୪/୧୮, ମହୀଷ ଥିକ୍‌ସାନା-୧/୪୧)। ଶ୍ରୀଲଙ୍କା ୨୬ ଓଭରରେ ୧୦୪/୬ (ଧନଞ୍ଜୟ ଡି ସିଲ୍‌ଭା-୨୨*, ଚରିଥ୍‌ ଅସଲଙ୍କା-୨୨, ସାଦିରା ସମରବିକ୍ରମା-୧୭, ଯଶପ୍ରୀତ୍‌ ବୁମରା-୨/୨୧, କୁଲଦୀପ ଯାଦବ-୨/୨୫, ମହମ୍ମଦ ସିରାଜ-୧/୧୭)।

Share