କଲୋମ୍ବୋ, ୧୮।୧୦: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଶ୍ରୀଲଙ୍କାରେ କଡ଼ା ଆଇନ ଲାଗୁ କରାଯାଇଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ମାସ୍କ୍ ନ ପିନ୍ଧିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶ କରାଯିବ। ଏଭଳି ଅମାନିଆଙ୍କୁ ୬ ମାସ ଜେଲଦଣ୍ଡ ଅବା ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସାମାଜିକ ଦୂରତା ବଜାୟ ନ ରଖିଲେ ଏବଂ ଘରୁ ବାହାରକୁ ବାହାରିଲେ ମାସ୍କ୍ ନ ପିନ୍ଧିଲେ ଏଭଳି ଦଣ୍ଡାଦେଶ କରାଯିବ ବୋଲି ସରକାର କହିଛନ୍ତି। ଅକ୍ଟୋବର ୪ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୭୫ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି।