ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ, ହେଉନି ଜଳ ନିଷ୍କାସନ

ରାଇକିଆ,୨୬ା୬(ପ୍ରଦୀପ ବେହେରା): ଜନସାଧାରଣଙ୍କ ସୁବିଧା ବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ତାହାର ସଠିକ୍‌ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ଷ୍ଟେଟ୍‌ ବ୍ୟାଙ୍କ ରାସ୍ତାରେ। ଏଠାରେ ନବ ନିର୍ମିତ ଡ୍ରେନ୍‌ ସଠିକ୍‌ ଭାବେ ତିଆରି କରାଯାଇ ନ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ରାସ୍ତା ଉପରେ ପାଣି ଜମି ରହୁଛି। ବର୍ଷା ହେଲେ ଡ୍ରେନ୍‌ ପାଣି ଓ ବର୍ଷା ପାଣି ମିଶି ରାସ୍ତା ଉପରେ ଭାସୁଛି। ଆବର୍ଜନା ପାଣି ଜମି ରହି ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗକୁ ଆମନ୍ତ୍ରଣ କରିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅକ୍ଟୋବର ୨୦୨୩ରେ ହୋଇଥିବା ଏହି କାମ ସମ୍ପୂର୍ଣ୍ଣ କରାଯାଇନାହିଁ। ଏହି ରାସ୍ତାରେ ଦୁଇଟି ପ୍ରମୁଖ ବିଦ୍ୟାଳୟ ଏବଂ ବ୍ୟାଙ୍କ ଥିବାରୁ ଶତାଧିକ ଛାତ୍ରୀଛାତ୍ର ଏବଂ ଜନସାଧାରଣ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଏ ନେଇ ରାଇକିଆ ବିଡିଓ ସିମାଞ୍ଚଳ ମଣ୍ଡଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ।