ଶକ୍ତି ପ୍ରଦର୍ଶନ ସଂଖ୍ୟା ଗଣିତରେ ୨୪ ପଛୁଆ ଇମ୍ରାନ୍‌…

ଇସଲାମାବାଦ, ୩୦।୩ : ପାକିସ୍ତାନର ପ୍ରାୟ ଚାରି ବର୍ଷ ପୁରୁଣା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାରଙ୍କ ବିଦାୟ ପ୍ରାୟ ନିଶ୍ଚିତ ହୋଇଛି। ଏହା ସହିତ ଦେଶରେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସରକାରଙ୍କୁ ସମର୍ଥନ କରୁଥିବା ମୁତାହିଦା କୌମି ମୁଭ୍‌ମେଣ୍ଟ-ପାକିସ୍ତାନ (ଏମ୍‌କ୍ୟୁଏମ୍‌-ପି) ଦଳ ମେଣ୍ଟରୁ ଅଲଗା ହୋଇଥିବା ନେଇ ଘୋଷଣା କରିଛି। ମଧ୍ୟ ସମ୍ପର୍କ ବିଚ୍ଛିନ୍ନ କରିଛି। ଶକ୍ତି ପ୍ରଦର୍ଶନ ପ୍ରସ୍ତାବ ଉପରେ ଏମ୍‌କ୍ୟୁଏମ୍‌-ପି ବିରୋଧୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି। ଫଳରେ ଇମ୍ରାନ୍‌ ସରକାରଙ୍କ ପାଇଁ ଶକ୍ତି ପ୍ରଦର୍ଶନ ଔପଚାରିକତା ପ୍ରାୟ ଶେଷ ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଇମ୍ରାନ ସରକାରଙ୍କ ସମର୍ଥକ ଏବଂ ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ତାଙ୍କ ଦଳ ପାକିସ୍ତାନ-ତେହେରିକ-ଇ-ଇନସାଫ (ପିଟିଆଇ) ସଙ୍କଟରେ ପଡ଼ିଛି। ତାଙ୍କ ସରକାର ଏବେ ସଂଖ୍ୟାଲଘୁ ହୋଇଯାଇଛି। ଜିୟୋ ଟିଭି ଅନୁଯାୟୀ, ପାକିସ୍ତାନୀ ସଂସଦର ନିମ୍ନ ଗୃହରେ ଇମ୍ରାନ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ ଏପ୍ରିଲ ୩ରେ ହେବ ଏବଂ ଏହା ପରେ ଇମ୍ରାନ୍‌ ସରକାରଙ୍କ ପତନ ଘଟିବ।

ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ମୋଟ ସଦସ୍ୟଙ୍କ ସଂଖ୍ୟା ହେଉଛି ୩୪୨। ବହୁମତ ପାଇଁ ୧୭୨ ସଦସ୍ୟଙ୍କ ଆବଶ୍ୟକତା ରହିଛି। ଇମ୍ରାନ୍‌ଙ୍କ ନେତୃତ୍ୱାଧୀନ ପିଟିଆଇ ମେଣ୍ଟରେ ୧୭୯ ସଦସ୍ୟ ଥିଲେ, କିନ୍ତୁ ଏମ୍‌କ୍ୟୁଏମ୍‌-ପି ମେଣ୍ଟ ଛାଡିବା ପରେ ଏହାର ସଦସ୍ୟ ସଂଖ୍ୟା ୧୬୪କୁ ହ୍ରାସ ପାଇଛି। ଅପରପକ୍ଷରେ ବିରୋଧୀଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି।

ଇମ୍ରାନଙ୍କ ୨୪ ସାଂସଦ ବିଦ୍ରୋହୀ ପାଲଟି ସରକାର ପାଇଁ ସଙ୍କଟ ସୃଷ୍ଟି କରିଛନ୍ତି। ବିଦ୍ରୋହୀମାନେ ଅବିଶ୍ୱାସ ପ୍ରସ୍ତାବରେ ବିରୋଧୀ ଦଳକୁ ସମର୍ଥନ ନକଲେ ମଧ୍ୟ ଇମ୍ରାନ୍‌ଙ୍କ ସରକାରର ପତନ ନିଶ୍ଚିତ।

Share