୩ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଇମ୍ରାନ

ଇସଲାମାବାଦ,୪ା୧୧: ପାକିସ୍ତାନର ତେହେରିକ-ଏ-ଇନ୍‌ସାଫର ବରିଷ୍ଠ ନେତା ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁରୁବାର ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ସମେତ ୩ ଜଣଙ୍କ ନିର୍ଦ୍ଦେଶରେ କରାଯାଇଥିବା ଇମ୍ରାନ ଅଭିଯୋଗ କରିଛନ୍ତି।

ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ (ପିଟିଆଇ) ନେତା ଅସଦ ଉମର ଏବଂ ମିଆଁ ଅସଲମ ଇକ୍‌ବଲ କହିଛନ୍ତି, ‘କିଛି ସମୟ ପୂର୍ବରୁ ଇମ୍ରାନ ତାଙ୍କ ତରଫରୁ ଏହି ବିବୃତ୍ତି ଦେବାକୁ କହିଥିଲେ। ଇମ୍ରାନ କହିଛନ୍ତି, ସେଠରେ ଉପସ୍ଥିତ ଥିବା ଏହି ୩ ଜଣଙ୍କ ନିର୍ଦ୍ଦେଶରେ ଗୁଳିମାଡ଼ ହୋଇଛି। ଶେହବାଜ ଶରିଫ, ରାଣା ସନ୍ନାଉଲ୍ଲାହ, ଏବଂ ମେଜର ଜେନେରାଲ ଫୈଜଲ। ଇମ୍ରାନ କହିଛନ୍ତି, ସେ ସୂଚନା ପାଇଛନ୍ତି ଏବଂ ଏହା ସେହି ଆଧାରରେ କହୁଛନ୍ତି।

ରାଣା ସନ୍ନାଉଲ୍ଲାହ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଏବଂ ମେଜର ଜେନେରାଲ ଫୈଜଲ ନାସିର ହେଉଛନ୍ତି ଆଇଏସ୍‌ଆଇର ମହାନିର୍ଦ୍ଦେଶକ(ସି)। ଅନ୍ୟପକ୍ଷରେ ପିଟିଆଇ ନେତାମାନେ କହିଛନ୍ତି, ଇମ୍ରାନଙ୍କ ଅବସ୍ଥା ସ୍ଥିର ଏବଂ ସେ ବିପଦ ମୁକ୍ତ ଅଛନ୍ତି।

Share