ଇସଲାମାବାଦ୍,୮।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍କା ଲାଗିଛି। ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସଂସଦ ଭଙ୍ଗ ନିଷ୍ପତ୍ତିକୁ ରଦ୍ଦ କରିବା ସହ ପୁନଃ ନିର୍ବାଚନ ନିଷ୍ପତ୍ତିକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଇମ୍ରାନ ସମ୍ବିଧାନ ମାନିବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି। ଏହାକୁ ନେଇ ପାକିସ୍ତାନରେ ରାଜନୀତି ସରଗରମ ରହିଛି।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ଉତ୍ତରରେ ଇମ୍ରାନ ଖାନ କହିଛନ୍ତି, ସେ ଶୁକ୍ରବାର ଦିନ ଦେଶକୁ ସମ୍ବୋଧିତ କରିବେ। ଏଭଳି ପରିସ୍ଥିତିରେ, ଇମ୍ରାନଙ୍କୁ ଶେଷ ବଲରେ କେବଳ ଦୁଇଟି ବିକଳ୍ପ ବାକି ଅଛି । ଗୋଟିଏ, ଅନାସ୍ଥା ପ୍ରସ୍ତାବର ସାମ୍ନା କରିବା, ଅନ୍ୟଟି ଏହା ପୂର୍ବରୁ ଇସ୍ତଫା ଦେବା।
ସୂଚନାଯୋଗ୍ୟ,ପୂର୍ବରୁ ପାକିସ୍ତାନ ଜାତୀୟ ଆସେମ୍ବ୍ଲିରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପ ବାଚସ୍ପତି କାସୀମ ସୁରୀ ଖାରଜ କରିଦେଇଥିଲେ। ଏହାପରେ ରାଷ୍ଟ୍ରପତି ଆରିଫ ଆଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶକ୍ରମେ ପାକିସ୍ତାନ ସଂସଦକୁ ଭଙ୍ଗ କରିଥିଲେ। ଇମ୍ରାନ ୩ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି କହିଥିଲେ। ହେଲେ ଏହାକୁ ବିରୋଧୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହେଲା, ତା’ର ବିଚାର ପାକିସ୍ତାନ ସୁପ୍ରିମକୋର୍ଟରେ କରାଯାଇଥିଲା ।