ଇମ୍ରାନଙ୍କୁ ଘାରିଛି ଜେଲରେ ମୃତ୍ୟୁ ଭୟ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଇମ୍ରାନ ଖାଁ ଯେତେବେଳେ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟ ପହଞ୍ଚି ଥିଲେ ସେତେବେଳେ ତାଙ୍କୁ ପାକିସ୍ତାନର ପାଲାମିଲିଟାରି ଫୋର୍ସ ଗିରଫ କରି ନେଇଥିଲେ। ଏହାପରେ ଏହାର ହିଂସକ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଅଭୁତପୂର୍ବ ଢଙ୍ଗରେ ଇମ୍ରାନଙ୍କ ସମର୍ଥକ ରାଓ୍ବଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି। ଏହାସହ ଲାହୋରରେ କମାଣ୍ଡରଙ୍କ ଘର ଉପରେ ବି ପିଟିଆଇ ସମର୍ଥକ ଆକ୍ରମଣ କରିଛନ୍ତି।
ଏବେ କୋର୍ଟରେ ଶୁଣାଣି ସମୟରେ ଇମ୍ରାନ ଖାଁ କହିଛନ୍ତି, ମୋତେ ଡର ଲାଗୁଛି କି ମୋତେ ମାରି ଦିଆଯାଇପାରେ। ପିଟିଆଇ ମୁଖ୍ୟ କହିଛନ୍ତି ତାଙ୍କୁ ଧୀରେ ଧୀରେ ମୃତ୍ୟୁ ହେଉଥିବା ଇଞ୍ଜେକସନ ଲଗାଯାଇପାରେ। ଇମ୍ରାନ ଅଭିଯୋଗ କରିଛନ୍ତି କି ୨୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଓ୍ବାଶରୁମ ଯିବାକୁ ଅନୁମତି ଦିଆଯାଇ ନାହିଁ।

Share