ମହିଳା ଜଜ୍‌ଙ୍କୁ କ୍ଷମା ମାଗିଲେ ଇମ୍ରାନ୍‌ ଖାନ

ଇସଲାମାବାଦ,୨୦।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ମହିଳା ଜଜ୍‌ଙ୍କୁ ଧମକ ଦେବା ମାମଲାରେ ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜେବା ଚୌଧୁରୀ ନାମକ ଜଣେ ମହିଳା ଜଜ୍‌ଙ୍କୁ ପିଟିଆଇ ମୁଖ୍ୟ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, ଯଦି ସେ ସୀମା ଅତିକ୍ରମ କରିଛନ୍ତି ତେବେ ସେ ଦୁଃଖିତ। ନ୍ୟୁଜ ଇଣ୍ଟରନ୍ୟାଶନାଲ ଏହି ଖବରକୁ ନିଶ୍ଚିତ କରିଛି।

ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ପଦରୁ ହଟାଇବାର କିଛି ମାସ ପରେ ଇମ୍ରାନ୍‌ ଖାନ ଇସଲାମାବାଦର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଜଜ୍‌ ଜେବା ଚୌଧୁରୀଙ୍କୁ ଧମକ ଦେଇଥିଲେ। ଏହା ପରେ ଇମ୍ରାନ୍‌ ଖାନ କହିଥିଲେ ଯେ, ସେ ସେମାନଙ୍କୁ ଛାଡିବେ ନାହିଁ। ଧମକପୂର୍ଣ୍ଣ ଢଙ୍ଗରେ ସେ କହିଥିଲେ ତାଙ୍କ ଦଳର ନେତାମାନେ ତାଙ୍କୁ ହଇରାଣ କରିବା ପାଇଁ ଶାହାବାଜ ଗିଲଙ୍କ ବିରୋଧରେ ମାମଲା ଦାୟର କରିବେ। ତା’ପରେ ଇସଲାମାବାଦର ଏଫ- ୯ପାର୍କରେ ଆୟୋଜିତ ହୋଇଥିବା ରାଜନୈତିକ ସମାବେଶରେ ଖାନ ମହିଳା ବିଚାରପତିଙ୍କୁ କଡ଼ା ଜବାବ ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ଇମ୍ରାନ୍‌ ଖାନ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଛନ୍ତି। ନ୍ୟୁଜ ଇଣ୍ଟରନ୍ୟାଶନାଲ ରିପୋର୍ଟ କରିଛି ଯେ, ଇମ୍ରାନ୍‌ ବୁଧବାର ଜିଲା ତଥା ଅଧିବେଶନ କୋର୍ଟରେ କ୍ଷମା ମାଗିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଖାନ୍‌ ଇସଲାମାବାଦର ଜୁଡିସିଆଲ ମାଜିଷ୍ଟ୍ରେଟ ମଲିକ ଅମାନଙ୍କ କୋର୍ଟରେ ହାଜର ହେବା ସମୟରେ କ୍ଷମା ମାଗିଥିବା ଜଣାପଡିଛି।

Share