ଇସଲାମାବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା କମିବାର ନେଉନାହାଁନ୍ତି। ମେ’୯ରେ ପାକିସ୍ତାନରେ ଘଟିଥିବା ହିଂସାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେ ମୋଟ ୬ଟି ମାମଲାରେ ନାମାଙ୍କିତ କରାଯାଇଛି। ବିଶେଷ କଥା ହେଉଛି ଯେଉଁ ୬ଟି ମାମଲାରେ ଇମ୍ରାନ ଖାନଙ୍କୁ ନାମାଙ୍କିତ କରାଯାଇଛି, ସେଥିରୁ ଆତଙ୍କବାଦ ବିରୋଧୀ ଅଧିନିୟମ ଅଧୀନରେ ତିନୋଟି ମାମଲା ସାମିଲ ରହିଛି।
ଇମ୍ରାନ୍ଙ୍କ ନାମରେ ଜେନେରାଲ ମୁଖ୍ୟାଳୟ, ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଏବଂ ମେଟ୍ରୋ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟଣା ଆଦି ରହିଛି। ଉଲ୍ଲେଖନୀୟ କଥା ହେଉଛି, ଇମ୍ରାନ୍ଙ୍କ ସମର୍ଥକମାନେ ମେ’ ୯ରେ ରାୱଲପିଣ୍ଡିରେ ପାକିସ୍ତାନୀ ସେନାର ଜେନେରାଲ ମୁଖ୍ୟାଳୟର କବାଟ ଭାଙ୍ଗିଥିଲେ, ଯାହାକୁ ଦେଶର ସେନା ଏକ କଳା ଦିନ ବୋଲି କହିଛି। ଦ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଇମ୍ରାନ୍ଙ୍କ ବିରୋଧରେ ତିନୋଟି ମାମଲା ମେ’ ୯ରେ ଏବଂ ଅନ୍ୟ ତିନିଟି ମେ’ ୧୦ରେ ଆତଙ୍କବାଦ ବିରୋଧୀ ଅଧିନିୟମ(ଏଟିଏ) ଅନୁଯାୟୀ ପଞ୍ଜୀକୃତ ହୋଇଛି। ସଂଯୁକ୍ତ ଯାଞ୍ଚ ଦଳ ସବୁ ମାମଲାର ଯାଞ୍ଚ କରୁଛି।