ଇମ୍ରାନଙ୍କ ଗିରଫଦାରୀକୁ ନେଇ ପାକିସ୍ତାନରେ ଜନ ଅସନ୍ତୋଷ, ୧୯ ପ୍ରଦର୍ଶନକାରୀ ଗିରଫ

ଇସଲାମାବାଦ,୬।୮: ପାକିସ୍ତାନରେ ପିଟିଆଇର ୧୯ କର୍ମୀଙ୍କୁ ଗିରଫ କରାଯାଇଛି। ପିଟିଆଇ ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗିରଫକୁ ନେଇ ବିରୋଧ ପ୍ରଦର୍ଶନ କରିବାସହ ଧାରଣା ଦେଇଥିବାରୁ ଏହି କର୍ମୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ତୋଶାଖାନା ମାମଲାରେ ଇମ୍ରାନ ଖାଁଙ୍କୁ ପାକିସ୍ତାନର ଜିଲା ଏବଂ ସେସନ କୋର୍ଟ ଦ୍ୱାରା ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ତାଙ୍କୁ ୫ବର୍ଷ ପାଇଁ ନିର୍ବାଚନ ଲଢିବାକୁ ବାରଣ କରାଯାଇଛି।

କରାଚିରୁ ୧୯ ଜଣ ପିଟିଆଇ ସମର୍ଥକଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଏଥିମଧ୍ୟରୁ ପାଞ୍ଚ ଜଣ କରାଚି ପ୍ରେସ କ୍ଲବ ବାହାରେ, ୧୧ଜଣ ମାଲିର ଜିଲାରୁ, ୫ ଜଣ ଶରାଫି ଗୋଥ, ୫ଜଣ କୟାଦାବାଦରୁ ଏବଂ ୩ ଜଣ ଉତ୍ତର ନାଜିମାବାଦ ବ୍ଲକରୁ ଗିରଫ ହୋଇଛନ୍ତି। ଶନିବାର ଇମ୍ରାନଙ୍କ ଗିରଫଦାରୀକୁ ବିରୋଧ କରି ପିଟିଆଇ ପାର୍ଟି ପାକିସ୍ତାନରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବା ନେଇ ଆଲୋଚନା କରିଥିଲା। ଓକିଲଙ୍କ ସମେତ ପିଟିଆଇ କର୍ମୀମାନେ ଲାହୋରର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନ ବାହାରେ ବିରୋଧ କରିଥିଲେ। ସୂଚନାଯୋଗ୍ୟ, ଅତୀତରେ ଯେତେବେଳେ ତାଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ପିଟିଆଇ ସମର୍ଥକମାନେ ସାରା ଦେଶରେ ବିରୋଧ କରିଥିଲେ ଏବଂ ପ୍ରବଳ ହିଂସା ଆରମ୍ଭ ହୋଇଥିଲା। ସେହି ସମୟରେ କ୍ରୋଧିତ ଜନତାଙ୍କ ଦ୍ୱାରା ବହୁ ସେନା ଅଧିକାରୀ ଏବଂ ସରକାରୀ କର୍ମଚାରୀଙ୍କ ବାସଭବନ ପୋଡି ପାଉଁଶ ହୋଇଯାଇଥିଲା। ଏହି କାରଣରୁ ପାକିସ୍ତାନୀ ପୋଲିସ ଏବଂ ସେନା ଏହି ପ୍ରତିବାଦରେ ସତର୍କ ରହିଛନ୍ତି।

Share