ଇମ୍ରାନଙ୍କୁ ଆଶ୍ୱସ୍ତି: ହାଇକୋର୍ଟରୁ ମିଳିଲା ଜାମିନ

ଇସଲାମାବାଦ,୧୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଇକୋର୍ଟ ଶୁଣାଣି କରି ତାଙ୍କୁ ଦୁଇ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି। ଇମ୍ରାନଙ୍କ ମାମଲାର ଶୁଣାଣିରେ ତିନିଜଣିଆ ଖଣ୍ଡପୀଠ ଉପସ୍ଥିତ ଥିଲେ। କୋର୍ଟରେ ଶୁଣାଣି ସମୟରେ ପିଟିଆଇ ସମର୍ଥକମାନେ ହଙ୍ଗାମା କରିଥିଲେ।

କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ଇସଲାମାବାଦ ହାଇକୋର୍ଟକୁ ନିଆଯାଇଥିଲା। ଏହି ସମୟରେ ଇମ୍ରାନଙ୍କ ସମର୍ଥକମାନେ ଇସଲାମାବାଦର ଶ୍ରୀନଗର ରାଜପଥ ବନ୍ଦ କରିଦେଇଥିଲେ। ଇସଲାମାବାଦ ହାଇକୋର୍ଟରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଏହାପୂର୍ବରୁ ଇମ୍ରାନଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲା। ଗିରଫ ପରେ ବିରୋଧ ଆରମ୍ଭ ହୋଇଥିଲା, ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ପିଟିଆଇ କର୍ମଚାରୀମାନେ ନିଆଁ ଲଗାଇ ହଙ୍ଗାମା କରିଥିଲେ। ଏହା ପରେ ଗୁରୁବାର ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରି ଇମ୍ରାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share