ଇମ୍ରାନଙ୍କୁ ଆଶ୍ୱସ୍ତି, ଗିରଫ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୭ା୫: ତେହେରିକ୍‌-ଇ-ଇନ୍‌ସାଫ୍‌ ପାର୍ଟି ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଉଚ୍ଚ ନ୍ୟାୟାଳୟରୁ ଆଶ୍ୱସ୍ତି ମିଳିଛି। ଇମ୍ରାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ପାକିସ୍ତାନର ଏକ ଅଦାଲତ ତାଙ୍କ ଗିରଫଦାରୀରେ ବୁଧବାର ପ୍ରତିବନ୍ଧକ ଲଗାଇ ଏହାକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୭୦ ବର୍ଷୀୟ ଇମ୍ରାନଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ସମ୍ପର୍କରେ ସୂଚନା ଦେବା ପାଇଁ ସରକାରଙ୍କ ପରାମର୍ଶ ଅଧିକ ସମୟ ମାଗିବା ପରେ ଇସଲାମାବାଦ ହାଇକୋର୍ଟ (ଆଇଏଚ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସାରା ଦେଶରେ ୧୦୦ରୁ ଅଧିକ ମାମଲା ପିଟିଆଇ ମୁଖ୍ୟ ଇମ୍ରାନଙ୍କ ନାମରେ ରୁଜୁ ହୋଇଥିଲା। ଇମ୍ରାନ କୋର୍ଟରେ ଉପସ୍ଥିତ ନ ଥିଲେ ଏବଂ ଏହି ସମୟରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲାର ସବିଶେଷ ତଥ୍ୟ ମାଗି କୋର୍ଟ ପିଟିଆଇର ଆବେଦନ ଶୁଣାଣି କରିଥିଲେ। ଇମ୍ରାନଙ୍କ ଦଳ କହିଛି, ପିଟିଆଇ ମୁଖ୍ୟଙ୍କ ବିରୋଧରେ ସାରା ଦେଶରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି। ତେବେ କୋର୍ଟ ସରକାରୀ ଓକିଲଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି ଏବଂ ଶୁଣାଣି ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Share