ଶରିଫଙ୍କୁ ଟାର୍ଗେଟ କଲେ ଇମ୍ରାନ

ଇସ୍‌ଲାମାବାଦ,୧୮ ।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଏହି କ୍ରମରେ ଶରିଫ ଦେଇଥିବା ବୟାନକୁ ନେଇ ଏବେ ମୁହଁ ଖୋଲିଛନ୍ତି ଇମ୍ରାନ । ଶରିଫ ଗୋଟିଏ ଦିନ ପୂର୍ବରୁ ଇମ୍ରାନ ସରକାର ଗଠନକୁ ନେଇ ପାକିସ୍ତାନ ସେନା ମୁଖ୍ୟଙ୍କୁ ଦୋଷାରୋପ କରିଥିଲେ । ଏବେ ଏହାର ଜବାବ ଦେଇଛନ୍ତି ଇମ୍ରାନ । ସୂଚନାଯୋଗ୍ୟ, ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମ୍‌ଏଲ୍‌ଏନ୍‌)ର ୭୦ ବର୍ଷୀୟ ନେତା ନୱାଜ ଶରିଫଙ୍କୁ ଭ୍ରଷ୍ଟାଚାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ରେ ଗାଦିଚ୍ୟୁତ କରିଥିଲେ । ଏହାକୁ ନେଇ ପ୍ରଥମଥର ଶୁକ୍ରବାର ଶରିଫ ସେନାମୁଖ୍ୟ ଜେନେରାଲ କମର ଜାବେଦ ବାଜୱାଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ଇମ୍ରାନଙ୍କୁ ବିଜୟ ଦେବାକୁ ସେନାମୁଖ୍ୟଙ୍କର ବହୁତ ବଡ ଭୂମିକା ରହିଛି । ଏବେ ଏହାକୁ ନେଇ ଇମ୍ରାନ କହିଛନ୍ତି ପିଏମ୍‌ଏଲ୍‌ଏନ୍ ନେତା ଶରିଫ, ଦଳର ଅଧ୍ୟକ୍ଷ ଜେନେରାଲ ଜିୟାଙ୍କ ଜୋତା ସଫା କରି ଶାସନ କ୍ଷମତା ହାସଲ କରିଥିଲେ । ସୂଚନାଯୋଗ୍ୟ, ନୱାଜ ଶରିଫ ୧୯୮୦ ଦଶକରେ ଶାସନକୁ ଆସିଥିଲେ ଯେତେବେଳେ ଜେନରାଲ ଜିୟା ଉଲ ହକ ଦେଶରେ ମାର୍ଶାଲ ଲ’ ଲାଗୁ କରିଥିଲେ ।

Share