ଆକ୍ରମଣ ସ୍ଥଳରୁ ପୁଣି ପଦଯାତ୍ରା ଆରମ୍ଭ କରିବେ ଇମ୍ରାନ୍‌

ଇସ୍‌ଲାମାବାଦ,୬।୧୧: ପାକିସ୍ତାନ ସରକାରଙ୍କ ବିରୋଧ ଶୋଭାଯାତ୍ରାରେ ବାହାରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପଞ୍ଜାବ ପ୍ରଦେଶର ଓ୍ବଜିରାବାଦରେ ଆକ୍ରମଣ କରାଯାଇଥିଲା। ଆତତାୟୀଙ୍କ ଗୁଳିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପରେ ଇମ୍ରାନ୍‌ ପୁଣି ୮ ତାରିଖରୁ ସେହି ସ୍ଥାନରୁ ତାଙ୍କ ଯାତ୍ରା ଆରମ୍ଭ କରିବେ। ଲାହୋରଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ (ପିଟିଆଇ) ନେତା ଏହି ସୂଚନା ଦେଇଛନ୍ତି।

ଆଗାମୀ ୧୦ରୁ ୧୪ ଦିନ ମଧ୍ୟରେ ମାର୍ଚ୍ଚ ରାଓ୍ବଲପିଣ୍ଡିରେ ପହଞ୍ଚିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ଗୁରୁବାର ଓ୍ବଜିରାବାଦ୍‌ରେ ମାର୍ଚ୍ଚ ବେଳେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଇମ୍ରାନ୍‌ଙ୍କ ସମେତ ୧୨ ଜଣ ଆହତ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଇମ୍ରାନ୍‌ ୩ ଦିନ ଚିକିତ୍ସିତ ହେବା ପରେ ରବିବାର ହସ୍ପିଟାଲରୁ ଘରକୁ ଫେରିଥିବା ଜଣାପଡ଼ିଛି।

Share