ପଞ୍ଜାବ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଇମ୍ରାନ ଖାନ୍‌, କହିଲେ ମୋ ମୁଖ୍ୟ ସଚିବ ନିଖୋଜ ଅଛନ୍ତି…

ଇସଲାମବାଦ,୧୬।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଏକ ବଡ ଅଭିଯୋଗ ଆଣିଛନ୍ତି। ତାଙ୍କ ମୁଖ୍ୟ ସଚିବ ଆଜାମ ଖାନ ଗୁରୁବାର ସାରୁ ନିଖୋଜ ଅଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଇମ୍ରାନ ଖାନ ଟୁଇଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି।

ଇମ୍ରାନ ଶୁକ୍ରବାର ଟୁଇଟ୍‌ କରି କହିଛନ୍ତି, ମୋର ଘନିଷ୍ଠ ଲୋକଙ୍କୁ ଟାର୍ଗେଟ କରାଯାଉଛି। ଗୁରୁବାର ରାତିରେ ପୂର୍ବତନ ରାଜ୍ୟପାଳ ଲତିଫ ଖୋସାଙ୍କ ଘରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରୁଛି। ତାଙ୍କ ଘରେ ଆକ୍ରମଣ ହେବାର କାରଣ ସେ ଆମ ଦେଶରେ ବ୍ୟାପିଥିବା ଫାସିବାଦକୁ ସମାଲୋଚନା କରିଥିଲେ।

ଆଜାମ ଖାନଙ୍କ ନୀଖୋଜ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ କରଥିବା ସେ କହିିଛନ୍ତି। ଇମ୍ରାନ ଖାନ ତାଙ୍କ ଟ୍ବିଟ୍‌ିରେ ଏକ ଦରଖାସ୍ତ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଅପହରଣ ଅଭିଯୋଗ ଆଣିଛନ୍ତି। ଆବେଦନରେ ଲେଖାଯାଇଛି ଯେ, ଆଜମ ଖାନଙ୍କ କୌଣସି ଖବର ମିଳୁନାହିଁ। ତାଙ୍କ ଫୋନ ମଧ୍ୟ ବନ୍ଦ ରହିଛି ଏବଂ ତାଙ୍କୁ ଯୋଗାଯୋଗ କରାଯାଇପାରୁ ନାହିଁ ।

ସୂଚନାଯୋଗ୍ୟ, ଶୁକ୍ରବାର ଇମ୍ରାନ ଟୁଇଟ କରି ପଞ୍ଜାବ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପଞ୍ଜାବ ପୋଲିସ ପିଟିଆଇ ସଦସ୍ୟଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରୁଛି। ପଞ୍ଜାବ ପୋଲିସ ମୋ ସହକର୍ମୀଙ୍କ ଘର ଲୁଟ୍‌ କରିବା ସହ ତାଙ୍କ ଘରେ ପଶି ଭଙ୍ଗାରୁଜା କରୁଛି ବୋଲି ସେ ଦାବି କରିଛନ୍ତି।

ଏହାପୂର୍ବରୁ ଇମ୍ରାନ ତାଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଉଥିବାର ଦାବି କରିଥିଲେ। ସେ କହିଥିଲେ ଯେ, ମୋ ପତ୍ନୀ ଏବଂ ଭଉଣୀମାନଙ୍କୁ ମଧ୍ୟ ମକଦ୍ଦମା ଏବଂ ଗିରଫ ୱାରେଣ୍ଟ ମାଧ୍ୟମରେ ଧମକ ଦିଆଯାଉଛି।

Share