ପୁଣି ଭାରତକୁ ପ୍ରଶଂସା କଲେ ଇମ୍ରାନ: କହିଲେ,କାହା ଆଗରେ ନଇଁପଡେ ନାହିଁ ଭାରତ

ଇସଲାମାବାଦ,୧୪।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ବାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ଲାହୋରରେ ଆୟୋଜିତ ଏକ ରାଲିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ଦେଖାଇ ଭାରତକୁ ପ୍ରଶଂସା କରିଥିଲେ। ରୁଷିଆରୁ ଶସ୍ତା ତେଲ କିଣିବା ଉପରେ ଆମେରିକାର ଚାପକୁ ଦୃଢ ଭାବରେ ମୁକାବିଲା କରିଥିବାରୁ ସେ ଭାରତକୁ ପ୍ରଶଂସା କରିଛନ୍ତି।
ଇମ୍ରାନ ଖାନ କହିଛନ୍ତି, ଯଦି ପାକିସ୍ତାନ ସହିତ ସ୍ବାଧୀନତା ପାଇଥିବା ଭାରତ ତା’ର ଆବଶ୍ୟକତା ଅନୁଯାୟୀ ନିଜର ବୈଦେଶିକ ନୀତି ପ୍ରସ୍ତୁତ କରିପାରିବ, ତେବେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସରକାର କାହିଁ କରିପାରିବେ ନାହିଁ। ଏହି ରାଲିରେ ଇମ୍ରାନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ସମସ୍ତଙ୍କୁ ଦେଖାଇ କହିଥିଲେ ଯେ, ରୁଷିଆରୁ ତେଲ ନ କିଣିବାକୁ ଆମେରିକା ଭାରତକୁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଶୁଣନ୍ତୁ ଭାରତର ବୈଦେଶିକ ମନ୍ତ୍ରୀ କିପରି ଆମେରିକାରେ ଉପଯୁକ୍ତ ଜବାବ ଦେଇଥିଲେ। ଏହି ଭିଡିଓରେ ଜୟଶଙ୍କର କହୁଛନ୍ତି ଆମକୁ ମନା କରିବାକୁ ତୁମେ କିଏ? ୟୁରୋପ ରୁଷିଆରୁ ଗ୍ୟାସ କିଣୁଛି ଏବଂ ଆମେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ତେଲ କିଣିବୁ। ଭାରତ ଏକ ସ୍ବାଧୀନ ଦେଶ।
ଏଥିସହ ସେ ରୁଷିଆଠାରୁ ତେଲ କିଣିବା ଉପରେ ଆମେରିକାର ଚାପ ଆଗରେ ନଇଁ ପଡିଥିବାରୁ ଶେହବାଜ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶସ୍ତା ତେଲ କିଣିବା ବିଷୟରେ ଆମେ ରୁଷିଆ ସହ କଥା ହୋଇଥିଲୁ କିନ୍ତୁ ଆମେରିକାର ଚାପକୁ ନା କହିବା ପାଇଁ ଏହି ସରକାରଙ୍କର ସାହସ ନାହିଁ। ଇନ୍ଧନ ମୂଲ୍ୟ ଆକାଶଛୁଆଁ ହେଉଛି, ଲୋକମାନେ ଦାରିଦ୍ର ସୀମାରେଖା ତଳେ ଅଛନ୍ତି। ମୁଁ ଏହି ଦାସତ୍ୱ ବିରୋଧରେ ଅଛି।

Share