ପୁଣିଥରେ ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୨୨ ।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ ଭ୍ରଷ୍ଟାଚାରକୁ ନେଇ ପାକିସ୍ତାନ ମୁସଲିମ ଲିଗ(ଏନ)ର ସୁପ୍ରିମୋ ନୱାଜ ଶରିଫଙ୍କ ସହ ତୁଳନା କରି ମୋଦିଙ୍କର ପ୍ରଶଂସା କରିଛନ୍ତି ।
ଇମ୍ରାନ ଏକ ଜନସଭାକୁ ସମ୍ବୋଧିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ପାକିସ୍ତାନ ବାହାରେ ଅନ୍ୟ ଦେଶରେ ନୱାଜ ଶରିଫଙ୍କ ସମ୍ପତ୍ତି କଥା ଉଠାଇଛନ୍ତି । ଭିଡିଓରେ ଇମ୍ରାନ ନୱାଜ ଶରିଫଙ୍କୁ ଟାର୍ଗେଟ କରି କହିଛନ୍ତି, ନୱାଜଙ୍କ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ନେତାଙ୍କ ନିକଟରେ ଅରବ ପରିମାଣର ସମ୍ପତ୍ତି ନାହିଁ । ମୋତେ ଏମିତି ଜଣେ ନେତାଙ୍କ ନାମ କୁହନ୍ତୁ ଯାହାଙ୍କ ନିକଟରେ ଦେଶ ବାହାରେ ଅରବ ପରିମାଣର ସମ୍ପତ୍ତି ରହିଛି । ଆମ ପଡୋଶୀ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ବାହାରେ କେତେ ସମ୍ପତ୍ତି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଇମ୍ରାନ କହିଛନ୍ତି କେହି ଭାବି ବି ପାରିବେ ନାହିଁ ଦେଶ ବାହାରେ ବିଦେଶରେ ନୱାଜଙ୍କର କେତେ ସମ୍ପତ୍ତି ରହିଛି । ତେବେ ଏହା ପ୍ରଥମ ଥର ନୁହେଁ ଯେ ଇମ୍ରାନ ଭାରତର ପ୍ରଶଂସା କରିଛନ୍ତି । ପୂର୍ବରୁ ମଧ୍ୟ ସେ ଭାରତର ପ୍ରଶଂସା କରି ପାକିସ୍ତାନ ନେତାଙ୍କ ଟାର୍ଗେଟକୁ ଆସିଛନ୍ତି ।

Share