ଦଣ୍ଡାଦେଶ ସ୍ଥଗିତ ହେବା ପରେ ବି ଜେଲରେ ରହିବେ ଇମ୍ରାନ୍‌

ଇସଲାମାବାଦ,୩୦।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗୋଟିଏ ସମସ୍ୟା ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଏକ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାର ଇମ୍ରାନ୍‌ ଖାନଙ୍କୁ ଏକ ବଡ଼ ଆଶସ୍ତି ମିଳିଥିଲା। ଇସଲାମାବାଦ ହାଇକୋର୍ଟ ତୋଶାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ତିନି ବର୍ଷ ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖି ଜେଲରୁ ମୁକୁଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇମ୍ରାନ୍‌ ଅନ୍ୟ ଏକ ମାମଲାରେ ଜେଲରେ ରହିବେ।

ଇମ୍ରାନ୍‌ ଖାନଙ୍କ ମୁକ୍ତିକୁ ନେଇ ପାକିସ୍ତାନ ସହିତ ପୂରା ଦୁନିଆର ନଜର ଥିଲା, କିନ୍ତୁ ବହୁ ପ୍ରତୀକ୍ଷିତ ଏହି ନିଷ୍ପତ୍ତି ପରେ କେତେକ ଏହା ଅନୁମାନ କରୁଛନ୍ତି କି ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୁକ୍ତି ନା ତାଙ୍କୁ ଅନ୍ୟ ଏକ ମାମଲାରେ ଫସେଇବାର ଏକ ଅସ୍ଥାୟୀ ବ୍ୟବସ୍ଥା ଅଟେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏବେ ଅଟକ ଜେଲରେ ରହିବେ କାରଣ ସରକାରୀ ଗୋପନୀୟତା ଅଧିନିୟମ ଅନୁଯାୟୀ ତାଙ୍କ ମାମଲାର ଶୁଣାଣି କରୁଥିବା ଏକ ସ୍ବତନ୍ତ୍ର ଅଦାଲତ ଇମ୍ରାନ୍‌ଙ୍କୁ ଅଟକ ଜେଲର ନ୍ୟାୟିକ ଲକ୍‌ଅପ୍‌ରେ ରଖିବାକୁ ଏବଂ ବୁଧବାର କୋର୍ଟରେ ହାଜର କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Share