ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌

ଇସ୍‌ଲାମାବାଦ୍‌,୬।୬: ପାକିସ୍ତାନ ରାଜନୀତିରେ ଅଶାନ୍ତି ଥମିବାର ନାଁ ନେଉନାହିଁ। ଇମ୍ରାନ ଖାନ୍‌ କ୍ଷମତାରୁ ହଟିବା ମାତ୍ରେ ଶେହଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସେ କ୍ରମାଗତ ଭାବରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ଇମ୍ରାନଙ୍କ ବିରୋଧରେ ଦଙ୍ଗା ସୃଷ୍ଟି, ଦେଶଦ୍ରୋହ, ଅରାଜକତା ଏବଂ ସଶସ୍ତ୍ର ଆକ୍ରମଣ ଭଳି ମାମଲା ରୁଜୁ ହୋଇଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ ବୋଲି ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲା କହିଛନ୍ତି।
ସନାଉଲ୍ଲା କହିଛନ୍ତି, ଜୁନ୍‌ ୨ରେ ଇମ୍ରାନ ଖାନଙ୍କୁ ତିନି ସପ୍ତାହର ଟ୍ରାନ୍‌ଜିଟ୍‌ ବେଲ୍‌ ପ୍ରଦାନ କରାଯାଇଛି। ଜୁନ୍‌ ୨୩ ତାଙ୍କ ଜାମିନ ଶେଷ ହେବ। ଏହାପରେ ତାଙ୍କୁ ଗିରଫ କରାଯିବ। ଇମ୍ରାନଙ୍କ ବିରୋଧରେ ଦୁଇ ଡଜନରୁ ଅଧିକ ମାମଲା ରୁଜୁ ହୋଇଛି।
ଇମ୍ରାନ ଖାନଙ୍କ ବାନି ଗାଲା ନିବାସ ବାହାରେ ପୋଷ୍ଟ କରାଯାଇଥିବା ସୁରକ୍ଷା ଅଧିକାରୀମାନେ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଜାମିନ ଅବଧି ଶେଷ ହେବା ପରେ ତାଙ୍କୁ ଗିରଫ କରିବେ। ଗଣତାନ୍ତ୍ରିକ ସମାଜରେ କେମିତି ଲୋକଙ୍କୁ ଦଙ୍ଗା ପାଇଁ ଉସ୍‌କାଉଥିବା ଜଣେ ବ୍ୟକ୍ତି କୌଣସି ରାଜନୀତିକ ଦଳର ମୁଖ୍ୟ ହେବେ? କେମିତି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗ୍ରହଣ ନ କରି ବିରୋଧୀଙ୍କୁ ଦେଶଦ୍ରୋହୀ କହୁଥିବା ଜଣେ ବ୍ୟକ୍ତି କେମିତି ଶାସନ କରିବେ ବୋଲି ରାଣା ପ୍ରଶ୍ନ କରିଛନ୍ତି।

Share