ରାଜନୀତି ଛାଡିବେ ନାହିଁ ଇମ୍ରାନ, ନୂଆ ଦଳ ଗଢିବାକୁ ହେଉଛନ୍ତି ପ୍ରସ୍ତୁତ

ଇସଲାମାବାଦ,୧୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ତଥା ଏଷ୍ଟାବ୍ଲିଶମେଣ୍ଟ (ସାମରିକ + ଗୁପ୍ତଚର ନେତୃତ୍ୱ) ଙ୍କ ଦ୍ୱାରା ହୋଇଥିବା ଦମନ ତଥା ଏହା ଯୋଗୁ ତାଙ୍କ ଦଳରେ ହୋଇଥିବା ବିଚ୍ଛିନ୍ନତା ସତ୍ତ୍ୱେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜନୀତି ମଇଦାନରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ଅଧିକାଂଶ ପ୍ରମୁଖ ନେତା ଅଲଗା ହୋଇଯାଇଛନ୍ତି। ମେ ୯ରେ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶରେ ଆରମ୍ଭ ହୋଇଥିବା ହିଂସାକୁ ସଂଗଠିତ କରିଥିବାରୁ ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଯାଇପାରେ ବୋଲି ଆଲୋଚନା ହେଉଛି। ଏହି ଆଶଙ୍କାକୁ ଦୃଷ୍ଟିରେ ରଖି ଇମ୍ରାନ ବର୍ତ୍ତମାନ ଘୋଷଣା କରିଛନ୍ତି ଯେ ଯଦି ଏହା ଘଟେ ତେବେ ସେ ଏକ ନୂତନ ଦଳ ଗଠନ କରି ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ପାକିସ୍ତାନରେ ସାଧାରଣ ନିର୍ବାଚନର ପରିବେଶ ଏବେ ସରଗରମ ରହିଛି। ଆନୁଷ୍ଠାନିକ ଭାବେ କୁହାଯାଇଛି ଯେ ବର୍ତ୍ତମାନ ସଂସଦର କାର୍ଯ୍ୟକାଳ ୧୪ ଅଗଷ୍ଟରେ ଶେଷ ହେବ। ଏହାପରେ ପାକିସ୍ତାନର ପରମ୍ପରା ଅନୁଯାୟୀ ଦେଶର ଶକ୍ତି ଅଣ-ରାଜନୈତିକ ବ୍ୟକ୍ତିଙ୍କ ତଦାରଖକାରୀ ସରକାର ଗ୍ରହଣ କରିବେ। ଏହି ସରକାରଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବରରେ ମତଦାନ ହେବ।

Share