ଇମ୍ରାନ ଖାନଙ୍କ ଅଡୁଆ ବଢିଲା

ଇସଲାମାବାଦ୍‌,୧୩।୯: ପାକିସ୍ତାନର ଏକ ସ୍ବତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ ମାମଲାରେ ବୁଧବାର ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତଙ୍କ ଏହି ଆଦେଶ ଦ୍ୱାରା ଇମ୍ରାନ ଖାନଙ୍କ ଶୀଘ୍ର ଜେଲରୁ ବାହାରିବା ଆଶା ମଉଳିଛି। ସୁରକ୍ଷା କାରଣରୁ ଜେଲରେ ଗୁପ୍ତ ଡକ୍ୟୁମେଣ୍ଟ ଲିକ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଜଜ ଅବଦୁଲ ହସନତ ଜୁଲକର୍ନାଇନ ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁପ୍ତ ଡକ୍ୟୁମେଣ୍ଟ ଲିକ ମାମଲାରେ ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କ୍ୟୁରେଶି ମଧ୍ୟ ଜେଲରେ ଅଛନ୍ତି। ତାଙ୍କର ନ୍ୟାୟିକ ହେପାଜତ ମଧ୍ୟ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଦ୍ୱାରା ଏହି ସୂଚନା ଦିଆଯାଇଛି।
ତୋଶଖାନା ମାମଲାରେ ଗିରଫ ହୋଇ ଇମ୍ରାନ ଖାନ ପଞ୍ଜାବର ଅଟକ ଜେଲରେ ଅଗଷ୍ଟ ୫ରୁ ରହିଛନ୍ତି। ଅଗଷ୍ଟ ୨୯ରେ ଇସଲାମାବାଦ ହାଇକୋର୍ଟର ଦୁଇ ଜଣିଆ ବେଞ୍ଚ ଇମ୍ରାନ ଖାନଙ୍କ ଦଣ୍ଡକୁ ସ୍ଥଗିତ ରଖି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶ ସତ୍ତ୍ୱେ ଇମ୍ରାନ ଖାନଙ୍କୁ ମୁକ୍ତ କରାଯାଇପାରିବ ନାହିଁ କାରଣ ଗୋପନୀୟ ତଥ୍ୟ ଲିକ ମାମଲାରେ ଇମ୍ରାନ ଖାନଙ୍କୁ ଜେଲରେ ରଖିବାକୁ ଏବଂ ଅଗଷ୍ଟ ୩୦ରେ ଶୁଣାଣି ସମୟରେ ତାଙ୍କୁ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share