ରିମାଣ୍ଡ୍‌ରେ ଇମ୍ରାନ୍‌, ପାକିସ୍ତାନ ଅଶାନ୍ତ

ଇସ୍‌ଲାମାବାଦ,୧୧ା୫: ଜମି ଦୁର୍ନୀତି ମାମଲାରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ବୁଧବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଏକ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଛି। ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ମଙ୍ଗଳବାର ଇସ୍‌ଲାମାବାଦ ହାଇକୋର୍ଟକୁ ହାଜର ହେବା ପାଇଁ ଯାଇଥିବାବେଳେ ୨୦୧୯ର ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଦୁର୍ନୀତି ନିରୋଧୀ ସଂସ୍ଥା ଏନ୍‌ଏବି ନିର୍ଦ୍ଦେଶକ୍ରମେ ଗିରଫ କରିଥିବା ଅର୍ଦ୍ଧସାମରିକ ରେଞ୍ଜର୍ସ ତାଙ୍କୁ ଅମାନୁଷିକ ବ୍ୟବହାର ଦେଖାଇଥିଲେ। କ୍ରିକେଟରରୁ ରାଜନେତା ହୋଇଥିବା ୭୦ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଆକାଉଣ୍ଟାବିଲିଟି କୋର୍ଟ ନଂ.୧ ବିଚାରପତି ମହମ୍ମଦ ବଶିରଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ବଶିର ହେଉଛନ୍ତି ସେହି ବିଚାରପତି ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଓ ତାଙ୍କ ଝିଅ ମରିୟମ୍‌ ନଓ୍ବାଜଙ୍କୁ ଲଣ୍ଡନ ସମ୍ପତ୍ତି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ବେଳେ ଇମ୍ରାନ୍‌ଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେବାକୁ ଏନ୍‌ଏବି ଓକିଲ ବିଚାରପତିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଇମ୍ରାନ୍‌ଙ୍କ ଓକିଲ ଯଥାଶୀଘ୍ର ସମ୍ଭବ ଏହି ମିଥ୍ୟା ମାମଲାରୁ ମୁକ୍ତ କରିବାକୁ ଯୁକ୍ତି ବାଢ଼ିଥିଲେ। କୋର୍ଟ ରାୟ ସଂରକ୍ଷିତ ରଖି ତାଙ୍କୁ ୮ ଦିନିଆ ରିମାଣ୍ଡରେ ନେବା ପାଇଁ ଏନ୍‌ଏବିକୁ ଅନୁମତି ଦେଇଛନ୍ତି। ଅଦାଲତରେ ଇମ୍ରାନ୍‌ କହିଥିଲେ, ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଓ୍ବାଶ୍‌ରୁମ୍‌କୁ ଛଡ଼ାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ମନି ଲଣ୍ଡରିଂ ମାମଲାର ସାକ୍ଷୀ ମାସୁଦ ଚପରାସିଙ୍କ ଭଳି ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଇମ୍ରାନ୍‌ ଆଶଙ୍କା ବ୍ୟକ୍ତ କରିଥିଲେ। ଅନ୍ୟପକ୍ଷେ ବୁଧବାର ପ୍ରଧାନମନ୍ତ୍ରୀ ଶରିଫ ଓ ତାଙ୍କ ପୁଅ ହମ୍‌ଜା ଶରିଫ୍‌ଙ୍କୁ ଆକାଉଣ୍ଟାବିଲିଟି କୋର୍ଟ ଉପରୋକ୍ତ ମାମଲାରେ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଏହା ପୂର୍ବରୁ ତୋଶାଖାନା ଦୁର୍ନୀତି ମାମଲାରେ ଜିଲା ଏବଂ ସେସନ୍ସ କୋର୍ଟ ବିଚାରପତି ହୁମାୟୁନ୍‌ ଦିଲାଓ୍ବରଙ୍କ ସମ୍ମୁଖରେ ଇମ୍ରାନ୍‌ଙ୍କୁ ହାଜର କରାଯାଇଥିଲା। କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ସ୍ଥିର କରିଛନ୍ତି। ଇମ୍ରାନ୍‌ଙ୍କ ଦଳ ପିଟିଆଇ ଇସ୍‌ଲାମାବାଦ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଦେଶବ୍ୟାପୀ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ବଳ ପ୍ରୟୋଗ କରିବାକୁ ପଛାଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ବିକ୍ଷୋଭ ବେଳେ ପୋଲିସ ସହ ସଂଘର୍ଷ ଘଟି ଅନୂ୍ୟନ ୭ ଜଣଙ୍କ ମୃତ୍ୟୁ ଘଟିଛି। ସଂଘର୍ଷରେ ପ୍ରାୟ ୩୦୦ ଜଣ ଆହତ ହୋଇଛନ୍ତି। ପଞ୍ଜାବ, ଖାଇବର ପାଖ୍‌ତୁନ୍‌ଖ୍ବା ଓ ବେଲୁଚିସ୍ତାନରେ ସେନା ମୁତୟନ କରାଯାଇଛି। ପିଟିଆଇର ବିକ୍ଷୋଭକାରୀମାନେ ୧୪ଟି ସରକାରୀ ଅଫିସକୁ ଜାଳି ଦେଇଛନ୍ତି। ଜଳାପୋଡ଼ା ଓ ଭଙ୍ଗାରୁଜା ଅଭିଯୋଗରେ ଅଦ୍ୟାବଧି ୧,୧୫୦ ଜଣଙ୍କୁ ଗିରଫ କରାଯାଇଛି।

ଶରିଫଙ୍କ ଘରେ ଇମ୍ରାନ୍‌ ସମର୍ଥକଙ୍କ ଆକ୍ରମଣ

ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ଗିରଫଦାରିକୁ ନେଇ କ୍ଷୁବ୍ଧ ସମର୍ଥକମାନେ ବୁଧବାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଘରକୁ ଟାର୍ଗେଟ କରିଛନ୍ତି। ଲାହୋରସ୍ଥିତ ମଡେଲ ଟାଉନ୍‌ ବାସଭବନକୁ ୫୦୦ରୁ ଊର୍ଦ୍ଧ୍ୱ ପିଟିଆଇ ସମର୍ଥକ ପଶିଥିଲେ। ସେଠାରେ ସେମାନେ ଗାଡ଼ିରେ ନିଅଁା ଲଗାଇବା ସହ ପେଟ୍ରୋଲ ବୋମା ଫିଙ୍ଗିଥିଲେ। ଆକ୍ରମଣ ବେଳେ କେବଳ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ।

ସର୍ବସାଧାରଣ ସମ୍ପତ୍ତି ଉପରେ ଆକ୍ରମଣ ଆତଙ୍କବାଦୀ କାର୍ଯ୍ୟ ଏବଂ ଦେଶ ପ୍ରତି ଶତ୍ରୁତା। ଯେଉଁମାନେ ଆଇନକୁ ହାତକୁ ନେଉଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଶେହଓ୍ବାଜ ଶରିଫ୍‌, ପାକିସ୍ତାନ ପ୍ରଧାନମନ୍ତ୍ରୀ

Share