ଛିଡିଛି ଦାସତ୍ୱର ଶୃଙ୍ଖଳ ତାଲିବାନକୁ ମିଳିଛି ପାକିସ୍ତାନ, ଚାଇନା, ଇରାନର ସମର୍ଥନ: ଇମ୍ରାନ

ଇସଲାମାବାଦ,୧୬ ।୮: ଆଫଗାନିସ୍ତାନରେ ନିର୍ବାଚିତ ସରକାରଙ୍କୁ ଅଡୁଆରେ ପକାଇ କ୍ଷମତାର ଶକ୍ତି ହାସଲ କରିବାକୁ ଯାଉଥିବା ତାଲିବାନକୁ ପାକିସ୍ତାନ, ଚାଇନା ଓ ଇରାନର ସମର୍ଥନ ମିଳିଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି । ତାଲିବାନ କ୍ଷମତାକୁ ଆସିବାକୁ ସ୍ୱାଗତ କରି ସେ କହିଛନ୍ତି ଦାସତ୍ୱର ଶୃଙ୍ଖଳ ଛିଡିଛି । ତାଲିବାନକୁ ଚାଇନା, ଇରାନ ଓ ପାକିସ୍ତାନର ସମର୍ଥନ ପୁଣିଥରେ ଆଫଗାନିସ୍ତାନକୁ ଅନ୍ଧାରର ଗର୍ତ୍ତକୁ ନେଇଯାଇଛି । ଏହା ମହାଶକ୍ତି ଦେଶପାଇଁ ମଧ୍ୟ ବିପଦର ସଙ୍କେତ । ତାଲିବାନ ଶାସନ ସ୍ଥାୟୀ ରହିବ ବୋଲି ଚାଇନା ଆଶା ରଖିଥିବା ବେଳେ ଇରାନ କହିଛି ଆମେରିକାର ପରାଜୟ ଚିରସ୍ଥାୟୀ ଶାନ୍ତି ପାଇଁ ଆଶା ଦେଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି, ଯେତେବେଳେ ତୁମେ ଅନ୍ୟର ସଂସ୍କୃତି ଗ୍ରହଣ କର ସେତେବେଳେ ତୁମେ ମାନସିକ ସ୍ତରରେ ଦାସ ହେବ । ପ୍ରକୃତ ଦାସତ୍ୱ ଅପେକ୍ଷା ଏହା ଖରାପ । ସାଂସ୍କୃତିକ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ଏତେ ସହଜ ନୁହେଁ । ଆଜିକାଲି ଆଫଗାନିସ୍ତାନରେ ଯାହା ଘଟୁଛି ତାହା ଦାସତ୍ୱର ଶୃଙ୍ଖଳା ଛିଡିବା ପରି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ।

Share