ନମାଜ ପାଠ ପରେ ଇମ୍ରାନ୍‌ ସମର୍ଥକଙ୍କ ବିକ୍ଷୋଭ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ସମର୍ଥକମାନେ ଶୁକ୍ରବାର ନମାଜ ପାଠ ପରେ ରାସ୍ତାକୁ ଓହ୍ଲାଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆକ୍ରମଣରେ ସମ୍ପୃକ୍ତ ଆଉ ୨ ଜଣ ସନ୍ଦିଗ୍ଧଙ୍କୁ ପାକିସ୍ତାନ ପଞ୍ଜାବ ପ୍ରଦେଶ ପୋଲିସ ଗିରଫ କରିଛି। ଉଚ୍ଚ ସ୍ତରୀୟ ଯୁଗ୍ମ ତଦନ୍ତ କମିଟି (ଜେଆଇଟି) ଗଠନ କରି ଆକ୍ରମଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ପଞ୍ଜାବ ପ୍ରଦେଶକୁ ପାକ୍‌ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆକ୍ରମଣ ପଛରେ ସୁପରିକଳ୍ପିତ ଷଡ଼ଯନ୍ତ୍ର ରହିଥିବା ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ (ପିଟିଆଇ) ପକ୍ଷରୁ କୁହାଯାଇଛି। ଗୁରୁବାର ଇମ୍ରାନ ପାକ୍‌ ସରକାରଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ପଞ୍ଜାବ ପ୍ରଦେଶର ଓ୍ବାଜିରାବାଦ୍‌ଠାରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ସମର୍ଥକମାନେ ବିଭିନ୍ନ ସହରରେ ବିକ୍ଷୋଭ କରିବା ସହ ରାସ୍ତା ଅବରୋଧ କରିଥିଲେ। ଫୈଜାବାଦରେ ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ଘଟିଛି।

Share