Categories: ଜାତୀୟ

ମୋଦିଙ୍କ ସହିତ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାଁ ଟିଭି ବିତର୍କ କରିବାକୁ ଚାହୁଁଛନ୍ତି। ରୁଷିଆ ଗସ୍ତ କରିବାର ଏକ ଦିନ ପୂର୍ବରୁ ଏକ ସାକ୍ଷାତ୍‌କାରରେ ଇମ୍ରାନ୍‌ ଏଭଳି କହିଛନ୍ତି। ଇମ୍ରାନ୍‌ ୟୁକ୍ରେନ୍‌ ବିବାଦରେ ରୁଷିଆକୁ ସମର୍ଥନ କରି ମସ୍କୋ ଯାଉଛନ୍ତି। ସେ ଦାବି କରିଛନ୍ତି ଯେ ଏହା ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମତଭେଦ ଦୂର କରିବାରେ ସହାୟକ ହେବ।

ରୁଷିଆ ନ୍ୟୁଜ ଚ୍ୟାନେଲ ରୁଷିଆ ଟିଭି ସହିତ ଏକ ସାକ୍ଷାତକାର ସମୟରେ ଇମ୍ରାନ ତାଙ୍କର ହୃଦୟରୁ ଏହି ଇଚ୍ଛା ପ୍ରକାଶ କରିଛନ୍ତି।

ମଙ୍ଗଳବାର ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ ମୁଁ ଟିଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିତର୍କ କରିବାକୁ ଚାହୁଁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ବିତର୍କ ମାଧ୍ୟମରେ ମତଭେଦର ସମାଧାନ ହୋଇପାରିବ, ତେବେ ଦୁଇ ଦେଶର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ।

ଇମ୍ରାନ ଦାବି କରିଛନ୍ତି ଯେ ତାଙ୍କ ସରକାରଙ୍କ ନୀତି ହେଉଛି ସମସ୍ତ ଦେଶ ସହିତ ବାଣିଜି୍ୟକ ସମ୍ପର୍କ ସ୍ଥାପନ। ଭାରତ ସରକାରଙ୍କ ସହିତ ମଧ୍ୟ ପାକିସ୍ତାନ ବାଣିଜି୍ୟକ ସମ୍ପର୍କରେ ସୁଧାର ଚାହୁଁଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି।

ତେବେ ଇମ୍ରାନ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ପାକିସ୍ତାନୀ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ଯେ, ଏହା ଦ୍ୱାରା ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହିତ ଇମ୍ରାନ୍‌ଙ୍କ ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି।

Share