ଇମ୍ରାନ, ସ୍ତ୍ରୀ ବୁଶ୍ରାଙ୍କୁ ୭ ବର୍ଷ ଜେଲ୍‌

ଇସଲାମାବାଦ,୩ା୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରା ଖାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ଏକ କୋର୍ଟ ବେଆଇନ ବିବାହ ପାଇଁ ଇମ୍ରାନ ଏବଂ ବୁଶ୍ରାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଏହି ସୂଚନା ଦେଇଛି।

୭୧ ବର୍ଷୀୟ ଇମ୍ରାନଙ୍କ ବିରୋଧରେ ଏହା ହେଉଛି ତୃତୀୟ ରାୟ। ଯିଏ ଏହି ସପ୍ତାହରେ ବିବାଦ ଭିତରକୁ ଆସିଥିଲେ ଏବଂ ତାଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାରୁ ବାରଣ କରାଯାଇଥିଲା। ନିକଟରେ ଜେଲ ହୋଇଥିବା ଇମ୍ରାନଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ ଗୋପନୀୟତା ଉଲ୍ଲଂଘନ (ସାଇଫର ମାମଲା) ଏବଂ ତୋସାଖାନା ମାମଲାରେ ୧୪ ବର୍ଷ ଦଣ୍ଡିତ କରାଯାଇଛି।

ଖବର ଅନୁଯାୟୀ, ଇମ୍ରାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରାଙ୍କୁ ୫ ଲକ୍ଷ ଟଙ୍କା (୧୮୦୦ ଡଲାର) ଜରିମାନା କରାଯାଇଛି। ବୁଶ୍ରା ତାଙ୍କ ପୂର୍ବତନ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବା ଏବଂ ଇମ୍ରାନଙ୍କୁ ବିବାହ କରିବା ପରେ ‘ଇଦ୍ଦତ’ ସମ୍ପୂର୍ଣ୍ଣ କରି ନ ଥିବା ଅଭିଯୋଗ ହୋଇଥିଲା। ବାସ୍ତବରେ ଇଦ୍ଦତ ଅଧୀନରେ ଜଣେ ମହିଳା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ପୁନର୍ବାର ବିବାହ କରିପାରିବେ ନାହିଁ।

Share