ସରକାରଙ୍କୁ ଘେରିବେ ଇମ୍ରାନ

ଇସଲାମାବାଦ,୨୭ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ (ପିଟିଆଇ) ଲାହୋରରୁ ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପଦଯାତ୍ରା ଶୁକ୍ରବାର ଲାହୋରରୁ ଆରମ୍ଭ ହେବ ଏବଂ ଏହା ମାଧ୍ୟମରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରାଯିବ। ଏଥି ସହିତ ପଦଯାତ୍ରାରେ ବିକ୍ଷୋଭକାରୀଙ୍କ ବିରୋଧର ମୁକାବିଲା ପାଇଁ ପ୍ରଶାସନ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରିଛି ଏବଂ ଏଥିପାଇଁ ଅନେକ ଗିରଫ ଦଳ ଗଠନ କରାଯାଇଛି।

ଇସଲାମାବାଦରେ ପୋଲିସ ଅଧିକାରୀମାନେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ (ପିଟିଆଇ)ର ପ୍ରଦର୍ଶନକାରୀଙ୍କ ସହ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଇସଲାମାବାଦରେ ବିରୋଧ ପାଇଁ ପିଟିଆଇ ଦ୍ୱାରା ପ୍ରସ୍ତୁତି ସମ୍ପର୍କରେ ପୋଲିସ ଗୁପ୍ତଚର ସଂଗ୍ରହ ଆରମ୍ଭ କରିଛି। ସୂଚନାନୁସାରେ, ଇମ୍ରାନଙ୍କ ଦଳ ସମର୍ଥକମାନଙ୍କୁ ଇସଲାମାବାଦରେ ଗ୍ୟାସ ମାସ୍କ, ସିଟ୍‌, କମ୍ବଳ, ଟାଓ୍ବେଲ, ତିନି ଯୋଡ଼ା ପୋଷାକ, ଛୋଟ ଆକାରର ତମ୍ବୁ, ସ୍ଲିଙ୍ଗ-ଶଟ, ମାର୍ବଲ ଏବଂ ବ୍ୟାଟ୍‌ ବ୍ୟବସ୍ଥା କରିବାକୁ କହିଛନ୍ତି।

ନଭେମ୍ବର ୪ରେ ଇମ୍ରାନ ଇସଲାମାବାଦରେ ପହଞ୍ଚିବାର ସମ୍ଭାବନା ରହିଛି। ଏଥିରେ ଅତି କମ୍‌ରେ ୧୩,୦୮୬ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୪୧୯୯ ଇସଲାମାବାଦ ପୋଲିସ ଅଧିକାରୀ, ସିନ୍ଧ ପୋଲିସର ୧୦୨୨ ଏବଂ ୪୨୬୫ ଏଫ୍‌ସି କର୍ମଚାରୀଙ୍କୁ ପୃଥକ୍‌ ଭାବରେ ନିୟୋଜିତ କରାଯାଇଛି।

Share