ଶେଷ ହେବ ଇମ୍ରାନଙ୍କ ଗେମ୍‌!

ଇସଲାମାବାଦ,୨ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ତାଙ୍କ ବିପକ୍ଷରେ ଅନେକ ବିରୋଧୀ ବାହାରୁଛନ୍ତି। ବର୍ତ୍ତମାନ ସଂସଦରେ ଇମ୍ରାନଙ୍କ ନମ୍ବର ଗେମ୍‌ ଶେଷ ହେବାର ଆଶଙ୍କା ରହିଛି। ରବିବାର ପ୍ରମୁଖ ସହଯୋଗୀମାନେ ତାଙ୍କ ହାତ ଛାଡ଼ି ଦେବେ ବୋଲି ଆଶଙ୍କା କରାଯାଉଛି। ବହୁ ସଂଖ୍ୟକ ବିଦ୍ରୋହୀ ତାଙ୍କ ବିରୋଧରେ ଭୋଟ୍‌ ଦେବାକୁ ଚେତାବନୀ ଦେଇଛନ୍ତି। ଟ୍ରଷ୍ଟ ଭୋଟ୍‌ର ଗୋଟିଏ ଦିନ ପୂର୍ବରୁ ଏକ ଜନସମାବେଶରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ, ଆମ ସଂସଦ କମିଟି ମଧ୍ୟ ଏହି ଅଫିସିଆଲ ଡକ୍ୟୁମେଣ୍ଟ ଦେଖିଛି, ଯେଉଁଥିରେ କୁହାଯାଇଛି, ଯଦି ଆପଣ ଇମ୍ରାନ ଖାନଙ୍କୁ ହଟାନ୍ତି, ତେବେ ଆମେରିକା ସହ ଆପଣଙ୍କର ଭଲ ସମ୍ପର୍କ ରହିବ। ଯଦି ବିରୋଧୀ ଦଳର ନେତା ତଥା ପିଏମଏଲ (ଏନ) ନେତା ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ସେ ଆମେରିକାର ଦାସ ହେବେ। ମୁଁ ଆଜି ଏବଂ ଆସନ୍ତାକାଲି ମଧ୍ୟ ପାକିସ୍ତାନର ଯୁବକମାନଙ୍କୁ ଆନ୍ଦୋଳନ କରିବାକୁ ଅନୁରୋଧ କରୁଛି। ବର୍ତ୍ତମାନର ପାକିସ୍ତାନର ‘ମୀର ସାଦ୍ଦିକ ଏବଂ ମୀର ଜାଫର’ ବିରୋଧରେ ବାହ୍ୟ ଶକ୍ତିର ଷଡ଼ଯନ୍ତ୍ର ବିରୋଧରେ ସ୍ବର ଉତ୍ତୋଳନ କରନ୍ତୁ।

କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ଖାନ୍‌ ୬୯ ବର୍ଷ ବୟସରେ ଏକ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରବିବାର ଜାତୀୟ ସଭାରେ ଅନାସ୍ଥା ଭୋଟ୍‌ ଅନୁଷ୍ଠିତ ହେବ। ବିରୋଧୀଙ୍କ ଉଦ୍ୟମକୁ ରୋକିବା ପାଇଁ ଇମ୍ରାନ ୩୪୨ର ନିମ୍ନ ସଦନରେ ୧୭୨ଭୋଟ୍‌ ଆବଶ୍ୟକ କରନ୍ତି। ତେବେ ବିରୋଧୀଦଳ କହିଛନ୍ତି ଯେ, ସେ ୧୭୫ ଏମ୍‌ପିଙ୍କ ସମର୍ଥନ ପାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Share