ବିପଦରେ ଇମ୍ରାନଙ୍କ ସରକାର

କରାଚି,୧୯।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିବାରେ ଲାଗିଛି। ଇତିମଧ୍ୟରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ଇମ୍ରାନଙ୍କ ଦଳ (ପାକିସ୍ତାନ ତେହରିକ-ଏ-ଇନ୍‌ସାଫ)ରେ ମଧ୍ୟ ବିଦ୍ରୋହ ଦେଖା ଦେଇଛି। ଦଳର ପ୍ରାୟ ଦୁଇ ଡଜନ ଏମ୍‌ପି ଖୋଲାଖୋଲି ଇମ୍ରାନଙ୍କ ବିରୋଧରେ ଭୋଟ ଦେବାକୁ ଧମକ ଦେଉଛନ୍ତି।

ପାକିସ୍ତାନ ମୁସ୍ଲିମ ଲିଗ-କାୟଦ (ପିଏମଏଲ-କ୍ୟୁ)ର ମୁଖ୍ୟ ଚୌଧୁରୀ ପରଭେଜ ଇଲାହୀ କହିଛନ୍ତି, ଇମ୍ରାନଙ୍କ ସରକାର ସମସ୍ୟାରେ ରହିଛି। ସରକାରଙ୍କୁ ବଞ୍ଚାଇବା ଏବେ କଷ୍ଟକର। ପ୍ରଧାନମନ୍ତ୍ରୀ ଇମ୍ରାନ ନିଜ ଏମ୍‌ପିମାନଙ୍କୁ ବୁଝାଇବାରେ ସଫଳ ହୁଅନ୍ତି ହୁଏତ କିଛିଦିନ ସରକାର ଚାଲିପାରେ। ଯଦି ଇମ୍ରାନ ବୁଝାଇବାରେ ବିଫଳ ହୁଅନ୍ତି ସରକାର ଭାଙ୍ଗିବା ନିଶ୍ଚିତ ବୋଲି ସୂଚନା ଦେଇଛନ୍ତି।

ପାକିସ୍ତାନରେ ବିରୋଧୀ ଦଳ ଇମ୍ରାନଙ୍କ ବିରୋଧରେ ଅବିଶାସ ପ୍ରସ୍ତାବ ଆଣିଛି। ଏନେଇ ୨୮ ମାର୍ଚ୍ଚରେ ଭୋଟ ଗ୍ରହଣ କରାଯିବ। ଅନ୍ୟପକ୍ଷେ ଇମ୍ରାନଙ୍କ ଦଳର ପାଖପାଖି ୧୮ରୁ ୨୦ ଏମ୍‌ପି ଦଳ ବିରୋଧରେ ଭୋଟ ଦେବାକୁ ଚେତାବନୀ ଦେଇଛନ୍ତି। ଏଭଳି ସ୍ଥତିରେ ଇମ୍ରାନଙ୍କ ଅଡୁଆ ବଢିବାରେ ଲାଗିଛି।
ସୂଚନା ଯୋଗ୍ୟ, ଇମ୍ରାନ ସରକାରଙ୍କ ପାଖରେ ବର୍ତ୍ତମାନ ୧୭୯ ଏମ୍‌ପିଙ୍କ ସମର୍ଥନ ରହିଛି। ବହୁମତ ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଦରକାର। ସହଯୋଗୀ ଦଳର ୭ ଏମ୍‌ପି ଇମ୍ରାନ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ହେଲେ ଇମ୍ରାନ ସରକାରଙ୍କ ୧୮ରୁ ୨୦ ଏମ୍‌ପି ବିପକ୍ଷ ଦଳକୁ ସମର୍ଥନ କରିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ଇମ୍ରାନଙ୍କ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯିବ।

Share