ଇମ୍ରାନ୍‌ଙ୍କ ଘର ପାଲଟିଲା ଯୁଦ୍ଧ କ୍ଷେତ୍ର: ପୋଲିସ-ସମର୍ଥକ ଧସ୍ତାଧସ୍ତି…

ଇସଲାମାବାଦ,୧୫।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ସରକାରଙ୍କ ପାଇଁ ଏକ ସମ୍ମାନର ବିଷୟ ପାଲଟିଛି। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ବଳ ପ୍ରୟୋଗ କରିବାକୁ ଦ୍ୱିଧା କରୁନାହିଁ। ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ପାକିସ୍ତାନ ପୋଲିସ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା, ସେତେବେଳେ ଇମ୍ରାନଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଯଦିଓ ପୋଲିସ ଇମ୍ରାନଙ୍କୁ ଗିରଫ କରିପାରି ନାହିଁ।

ବୁଧବାର ସକାଳ ୬ଟାରୁ ଇମ୍ରାନଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ପୁଣି ଆରମ୍ଭ ହୋଇଛି। ଇମ୍ରାନ ସମର୍ଥକଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସ ସେଲ ଛାଡିଛି। ଏଥି ସହ ଇମ୍ରାନଙ୍କ ସମର୍ଥକମାନେ ପୋଲିସ ଉପରେ ପଥର ଫିଙ୍ଗିଛନ୍ତି। ଫଳରେ ଇମ୍ରାନ୍‌ଙ୍କ ଘର ଏକ ଯୁଦ୍ଧ କ୍ଷେତ୍ର ପାଲଟିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଲାହୋରରେ ଇମ୍ରାନ ଖାନଙ୍କ ଘରକୁ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଘେରି ରହିଛନ୍ତି। ତୋସାଖାନା ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି ଏବଂ ବହୁ ଚେଷ୍ଟା ସତ୍ତ୍ୱେ ଇସଲାମାବାଦ ପୋଲିସ ଇମ୍ରାନଙ୍କୁ ଗିରଫ କରିପାରି ନାହିଁ। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନ ପୋଲିସ ବଳ ପ୍ରୟୋଗ କରୁଛି। ପୋଲିସ ଏବଂ ଇମ୍ରାନ ସମର୍ଥକଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ଉଭୟ ପାର୍ଶ୍ୱରୁ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

Share