ଇମ୍ରାନଙ୍କ ତାଲିବାନ ପ୍ରେମ

ଇସଲାମାବାଦ,୧୭ ।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ସାଂଘାଇ ସହଯୋଗ ସଙ୍ଗଠନ(ଏସ୍‌ସିଓ)ର ବୈଠକରେ ବି ତାଲିବାନ ସପକ୍ଷରେ କହିଛନ୍ତି । ସେ କହିଛନ୍ତି ସାରା ବିଶ୍ୱ ଆଫଗାନିସ୍ତାନକୁ ସାହାଯ୍ୟ କରିବା ଦରକାର । ଆଫଗାନିସ୍ତାନକୁ ବାହାରୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ଆମ ପକ୍ଷରୁ ଆଫଗାନିସ୍ତାନକୁ ସାହାଯ୍ୟ ଜାରି ରହିବ । ଇମ୍ରାନ ଆହୁରି ମଧ୍ୟ କହିଛନ୍ତି ତାଲିବାନକୁ ତା’ର କଥା ପୂରଣ କରିବାକୁ ପଡିବ । ପୂର୍ବରୁ ମଧ୍ୟ ତାଲିବାନ ପ୍ରତି ନିଜର ଭଲପାଇବା ଜାହିର କରିଥିବା ଇମ୍ରାନ ଏସ୍‌ସିଓର ୨୦ତମ ବୈଠକରେ ବି ଆଫଗାନିସ୍ତାନରେ ମାନବୀୟ ସଙ୍କଟ ଦୂରେଇ ଦେବାକୁ ସାରା ବିଶ୍ୱ ସାହାଯ୍ୟର ହାତ ବଢାଇବା ଉଚିତ ବୋଲି କହିଛନ୍ତି । ତାଲିବାନକୁ ବଞ୍ଚାଇବାକୁ ଯାଇ ଇମ୍ରାନ କହିଛନ୍ତି ବର୍ତ୍ତମାନ ଆଫଗାନ ସରକାର ବିଦେଶି ସାହାଯ୍ୟ ଉପରେ ନିର୍ଭର କରୁଛି । ଶାନ୍ତିପୂର୍ଣ୍ଣ ଓ ସ୍ଥିର ଆଫଗାନିସ୍ତାନ ସହ ପାକିସ୍ତାନର ହିତ ବି ଯୋଡି ହୋଇ ରହିଛି ତେଣୁ ସେଥିପାଇଁ ଆମେ କାମ କରୁଛୁ ବୋଲି ଇମ୍ରାନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆଫଗାନିସ୍ତାନରେ କୌଣସି ବାହାର ଦଖଲ ହେବା ଉଚିତ ନୁହେଁ । ଇମ୍ରାନ ତାଙ୍କ ଭାଷଣରେ କହିଛନ୍ତି କାବୁଲରେ ତାଲିବାନ କବଜା କରିବା ପରେ ନୂଆ ସତ ସାମ୍ନାକୁ ଆସିଛି । ଏବେ ବିଶ୍ୱର ଦାୟିତ୍ୱ ହେବା ଉଚିତ ଯେ ସେଠାରେ ଯେମିତି ଆଉ ସଂଘର୍ଷ ନ ହେଉ । ଏହା ପୁଣିଥରେ ଆତଙ୍କବାଦୀଙ୍କ ଘର ନ ହେଉ ଏହାବି ବିଶ୍ୱ ସମୁଦାୟ ସୁନିଶ୍ଚିତ କରିବା ଦରକାର ।

Share