ବ୍ୟାନ୍‌ ହେବ ଇମ୍ରାନ୍‌ଙ୍କ ଦଳ

ଇସ୍‌ଲାମାବାଦ୍‌, ୧୬।୭: ପାକିସ୍ତାନର ଶେହବାଜ୍‌ ଶରିଫ୍‌ ସରକାର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ(ପିଟିଆଇ) ଉପରେ ଖୁବ୍‌ଶୀଘ୍ର ପ୍ରତିବନ୍ଧକ ଲଗାଇବା ନେଇ ଚିନ୍ତା କରୁଛନ୍ତି। ଦେଶବିରୋଧୀ ଗତିବିଧି ଯୋଗୁ ପିଟିଆଇ ଉପରେ ଏହି ପ୍ରତିବନ୍ଧକ ଲଗାଯିବ ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ସୋମବାର ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି। ବେଆଇନ ଉତ୍ସରୁ ବିଦେଶୀ ପାଣ୍ଠି ସଂଗ୍ରହ, ଗତବର୍ଷ ମେ’ ୯ରେ ହୋଇଥିବା ଦଙ୍ଗା ଆଦି ପ୍ରସଙ୍ଗରେ ପିଟିଆଇ ଦେଶବିରୋଧୀ ଗତିବିଧିରେ ସାମିଲ ଥିବା ନେଇ ବିଶ୍ୱସନୀୟ ପ୍ରମାଣ ରହିଥିବା ଅତାଉଲ୍ଲାହ କହିଛନ୍ତି। ମେ’ ୯ ହିଂସା ଘଟଣାରେ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବିଫଳ କରିବା ପାଇଁ ପିଟିଆଇର କେତେଜଣ ପୂର୍ବତନ ଓ ବର୍ତ୍ତମାନର ନେତା ଉଦ୍ୟମ କରିଥିବା ଜଣାପଡ଼ିଛି। ପାକିସ୍ତାନ ସରକାର ଖୁବ୍‌ଶୀଘ୍ର ଏହି ମାମଲାକୁ ସୁପ୍ରିମକୋର୍ଟଙ୍କୁ ପଠାଇବେ ବୋଲି ଅତାଉଲ୍ଲାହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲିରେ ପିଟିଆଇ ଏବେ ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି।

Share