Categories: ଜାତୀୟ

୧୧ ମାସରେ ୨୧୧ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ଗତ ୧୧ ମାସ ମଧ୍ୟରେ ବଡ଼ ସଫଳତା ମିଳିଛି। ଏହି ସମୟ ମଧ୍ୟରେ ୨୧୧ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୪୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ମୃତକଙ୍କ ମଧ୍ୟରେ ୫୦ ଜଣ ପାକିସ୍ତାନୀ ଆତଙ୍କବାଦୀ ରହିଛନ୍ତି। ଅପରପକ୍ଷରେ ଅବଶିଷ୍ଟ ସ୍ଥାନୀୟ ଆତଙ୍କବାଦୀ ରହିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ଦେଉଥିବା ୧୫୦ଜଣଙ୍କୁ ଗିରଫ କରାଯାଇଛି। ଏହାଦ୍ୱାରା ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନର ଅଣ୍ଟା ଭାଙ୍ଗିଯାଇଥିବା କୁହାଯାଉଛି। ଗତ ବର୍ଷ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ସମୟରେ ଏନ୍‌କାଉଣ୍ଟରରେ ୧୫୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୪୫ ଜଣଙ୍କୁ ଗିରଫ କରାଯାଇଥିଲା। ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଗତ ୧୧ମାସ ମଧ୍ୟରେ ୧୨ରୁ ଅଧିକ ଥର ସୀମାପାର ଅନୁପ୍ରବେଶ ଉଦ୍ୟମ ହୋଇଛି। ୬ଟି ଘଟଣାରେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ୪ଟି ଘଟଣାରେ ଆତଙ୍କବାଦୀମାନେ ଭୟରେ ପଳାୟନ କରିଛନ୍ତି। ଭାରତୀୟ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୫୦ରୁ ଅଧିକ ଯବାନ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ଶହୀଦ୍‌ ହୋଇଛନ୍ତି। ଏହି ସମୟ ମଧ୍ୟରେ କଶ୍ମୀରର ପୁଲଓ୍ବାମା, ଅନନ୍ତନାଗ, କୁଲଗାମ୍‌ ଏବଂ ଶୋପିଆନ୍‌ ଆଦି ୪ ଜିଲାରେ ସର୍ବାଧିକ ଆତଙ୍କବାଦ ବିରୋଧୀ ଅପରେଶନ କରାଯାଇଛି। ୯୦ଟି ଘଟଣାରେ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।

Share