ପାଟଣା,୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ରାଇଡ଼ିହା ବିଟ୍ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତା ଗୁରୁବାର ରାତିରେ ଉତ୍ପାତ କରିଛି। ଏହି ବିଟ୍ ଅଧୀନ ପୁରୁଣା ପାଣିର ୱାର୍ଡ ମେମ୍ବର ପାଣ୍ଡ ମୁଣ୍ଡାଙ୍କ ଗୋଟିଏ ଖପର ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ ଟଭାସରୁଆ ଗ୍ରାମର ବୃଦ୍ଧା ଗୌରୀ ମହାରଣାଙ୍କ ଖପର ଘର ଭାଙ୍ଗିଦେଇଛି। ଉକ୍ତ ଦନ୍ତା ବୁଧବାର ରାତିରେ ଉଦୟପୁର ବିଟ୍ ଅଞ୍ଚଳ ବରବେଡ଼ା ଗ୍ରାମର ଦୟାନିଧି ନାଏକ ଓ ହଳଦୀବଟା ମୁଣ୍ଡାସାହିର ଦଡ଼େ ମୁଣ୍ଡାଙ୍କ ଖପର ଘର ଭଙ୍ଗିଥିଲା। ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛି। ଦନ୍ତା ଶୁକ୍ରବାର ସାରେ ବିରଳ ନଦୀକୂଳ ପୁରୁଣା ପାଣି ସଂରକ୍ଷିତ ଜଙ୍ଗଲରେ ଥିବା ସାହାରପଡ଼ା ବନପାଳ ଭୂପତି ସେଠୀ ଓ ଗାର୍ଡ ନିରୁପମା ମାହାକୁଡ଼ କହିଛନ୍ତି। ତେବେ ୯ ଟିକିଆ ହାତୀପଲ ଶୁକ୍ରବାର ସାରେ ପାଟଣା ରେଞ୍ଜ ତଣ୍ଡବିଟ୍ ଜାମୁଳେଇ ବେଡ଼ା ଗାଁ ହୁଡ଼ିରେ ଡେରା ପକାଇଥିବା ପାଟଣା ବନପାଳ ପିଅନ ନାଏକ କହିଛନ୍ତି। ହାତୀପଲ ଗୁରୁବାର ରାତିରେ ଜାମୁଳେଇ ବେଡ଼ା, ଚିନାମାଳିପଶି, କାଶିଆ, ମୂଷାଖରୀ, ରାମଚନ୍ଦ୍ରପୁର ଓ ଗୋଧିରାମପଡ଼ା ଗାଁରେ ବ୍ୟପାକ ଧାନ ଓ ବୋଇତାଳୁ ଚାଷ ଖାଇବା ସହ ନଷ୍ଟ କରିଥିବା ବନପାଳ କହିଛନ୍ତି।