ନୂଆଦିଲ୍ଲୀ, ୫।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୭ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଏହି ଧାରା ଜାରି ରହିଲେ ଆଉ ୨ ଦିନ ମଧ୍ୟରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୪ ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୯ ହଜାର ୭୯୫ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୫୦୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୮୫୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବୁଧବାର ସୁଦ୍ଧା ୧୨ ଲକ୍ଷ ୮୨ ହଜାର ୨୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫ଲକ୍ଷ ୮୬ ହଜାର ୨୪୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦେଶରେ ସୁସ୍ଥ ହେବା ହାର ୬୭.୧୯ ପ୍ରତିଶତ ରହିଛି। ମଙ୍ଗଳବାର ୫୧ ହଜାର ୭୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।