Categories: ଜାତୀୟ

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ ଅଧିକ। ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ଥିବା କୁହାଯାଏ। ଏହି ସଡ଼କ ଦୁର୍ଘଟଣାକୁ ଦେଖି ମୋଟର ଭେଇକିଲ ଆକ୍ଟରେ ମଧ୍ୟ କିଛି ପରିବର୍ତ୍ତନ ଅଣାଯାଇଛି। ଛୋଟ ପିଲାମାନେ ହେଲମେଟ୍‌ ପିନ୍ଧିବା ସହ କାର ଚାଳକଙ୍କ ସାଥିରେ ଥିବା ବ୍ୟକ୍ତି ମଧ୍ୟ ସିଟ୍‌ ବେଲ୍ଟ ବାନ୍ଧିବାକୁ ଏହି ନିୟମରେ ଉଲ୍ଲେଖ କରାଯାଇଛି। ଓ୍ବାର୍ଲଡ ହେଲ୍‌ଥ ଅର୍ଗାନାଇଜେସନର ରିପୋର୍ଟ ଅନୁସାରେ ସଡ଼କ ଦୁର୍ଘଟଣାରେ ପ୍ରତିଦିନ ୬୫୨ ଲୋକଙ୍କ ମୃତ୍ୟୁ ହେଉଛି ଯାହା ଟିବିରେ ମୃତ୍ୟୁ ହେଉଥିବା ଲୋକଙ୍କ ତୁଳନାରେ ୫ଗୁଣା ଅଧିକ। ଅନ୍ୟପଟେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦେଶରେ ପ୍ରତିଦିନ ପ୍ରାୟ ୧୪ହଜାର ଦୁର୍ଘଟଣା ଘଟୁଥିବା ବେଳେ ଏଥିରେ ୪ଶହ ଲୋକଙ୍କ ମୃତ୍ୟୁ ହେଉଛି। ଉତ୍ତର ପ୍ରଦେଶରେ ଏହି ସ୍ଥିତି ସବୁଠାରୁ ଅଧିକ ବୋଲି କୁହାଯାଏ। ପୋଲିସ ରେକର୍ଡ ଅନୁଯାୟୀ ଗତବର୍ଷ ଏଠାରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୭୬୬୬ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ରହିଛି ତାମିଲନାଡୁ, ମହାରାଷ୍ଟ୍ର, କର୍ନାଟକ ଓ ରାଜସ୍ଥାନ।

Share