Categories: ଜାତୀୟ

୨୦୨୧ରେ ଡ୍ୟୁଟିରେ ୧୫୩ ଯବାନ କରିଛନ୍ତି ଆତ୍ମହତ୍ୟା, ୩ ବର୍ଷରେ ୯୫୦ ଶହୀଦ୍‌…

ନୂଆଦିଲ୍ଲୀ, ୧୬।୪ : ଦେଶରେ ଡ୍ୟୁଟିରେ ଯବାନଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ଏହା ବ୍ୟତୀତ ଆତଙ୍କବାଦ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଡ୍ୟୁଟିରେ ଥିବା ସାମରିକ ବାହିନୀର ଶହୀଦଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗଣମାଧ୍ୟମ ସଂସ୍ଥା ହିନ୍ଦୁସ୍ତାନରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ସର୍ବାଧିକ ଶହୀଦ ଅଛନ୍ତି।

ତଥ୍ୟ ଅନୁଯାୟୀ, ଜମ୍ମୁ-କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରେ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପୋଷ୍ଟ କରାଯାଇଥିବା ୯୫୦ ସିଆରପିଏଫ୍‌ କର୍ମଚାରୀ ତିନି ବର୍ଷ ମଧ୍ୟରେ ଡ୍ୟୁଟି ସମୟରେ ଶହୀଦ ହୋଇଛନ୍ତି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ୫୭ ପ୍ରତିଶତ ଯବାନ ଶହୀଦ୍‌ ହୋଇଛନ୍ତି। ଯବାନମାନଙ୍କ ଆତ୍ମହତ୍ୟା ପରିସଂଖ୍ୟାନରେ ଉଲ୍ଲେଖ କରାଯାଇଛି ଯେ, ୨୦୨୧ରେ, ୧୫୩ ଜଣ ଯବାନ ଡ୍ୟୁଟିରେ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ଯବାନ ସଆର୍‌ ପିଏଫ୍‌ ଏବଂ ୪୨ ଜଣ ବିଏସ୍‌ଏଫ୍‌ର ଅଛନ୍ତି।

୨୦୧୯ରେ ୧୫ ଜଣ ଗେଜେଟେଡ ଅଫିସରଙ୍କ ସମେତ ୬୨୨ ଜଣ ଶହୀଦ୍‌ ହୋଇଛନ୍ତି। ୨୦୨୦ରେ ୨୪ ଗେଜେଟେଡ ଅଫିସରଙ୍କ ସମେତ ୬୯୧ ଏବଂ ୨୦୨୧ରେ ୧୮ ଗେଜେଟେଡ ଅଫିସରଙ୍କ ସମେତ ୭୨୯ ଜଣ ସହୀଦ୍‌ ହୋଇଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୦୧୫ରୁ ୨୦୨୦ ମଧ୍ୟରେ ବିଏସଏଫ, ସିଆର୍‌ପିଏଫ୍‌ ଏବଂ ଏସଏସବି ସମେତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଯବାନଙ୍କ ଆତ୍ମହତ୍ୟା ଯୋଗୁଁ ଅଧିକ ମୃତ୍ୟୁ ଘଟିଛି। ଏହି ୫ ବର୍ଷ ମଧ୍ୟରେ ପ୍ରାୟ ୬୮୦ ଯବାନ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷରେ ୩୨୩ ଜଣ ଶହୀଦ୍‌ ହୋଇଛନ୍ତି।

Share