ଢେଙ୍କାନାଳ ଅଫିସ, ୩୦।୧୨: ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଭଳି ସାମାଜିକ ବ୍ୟାଧି ଦୂରୀକରଣ ଏବଂ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ‘ଶିଶୁ ପାଇଁ ଦିନଟିଏ’। ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲାସ୍ତରୀୟ ଟାକ୍ସଫୋର୍ସ ବୈଠକରେ ଏମ୍ପି ମହେଶ ସାହୁ ଯୋଗଦେଇ କହିଲେ, ଶିଶୁ ଅଧିକାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଏଥିଲାଗି ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ଏମ୍ପି ମତବ୍ୟକ୍ତ କରିଥିଲେ। ବାଲ୍ୟ ବିବାହ ରୋକିବା ଲାଗି କାର୍ଯ୍ୟକାରୀ ‘କଳ୍ପନା ଅଭିଯାନ’ ତ୍ୱରାନ୍ବିତ କରିବା, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ମୁହଁା କରାଇବା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ୨୦୨୧ ବର୍ଷରେ ଜିଲାରେ ମୋଟ୍ ୩୪ ବାଲ୍ୟ ବିବାହ ରୋକାଯାଇଛି। କିଶୋରୀକିଶୋରଙ୍କ ଲାଗି ୨୨ ଦକ୍ଷତା ବୃଦ୍ଧି ଶିବିର ଆୟୋଜିତ ହୋଇଛି। ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ବୈଠକ କରାଯାଇ ସରକାରୀ ଯୋଜନା ବିଷୟରେ ଅବଗତ କରାଯାଉଥିବା ଆକ୍ସନ ଏଡ୍ ଓ ୟୁନିସେଫ୍ ଜିଲା ସଂଯୋଜିକା ଅଙ୍ଗୁର ମିଶ୍ର ସୂଚନା ଦେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ, ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।