Categories: ଜାତୀୟ

୨୦୨୧ରେ ଡାଇବେଟିସ୍‌ ନେଇଛି ୬୭ ଲକ୍ଷ ଜୀବନ…

ବ୍ରସେଲ୍ସ୍‌,୧୪।୧୧: ପୃଥିବୀର ବିଭିନ୍ନ ଦେଶ କରୋନା ମହାମାରୀ ସହ ଲଢୁୁଥିବାବେଳେ ଏକବିଂଶ ଶତାବ୍ଦୀରେ ଡାଇବେଟିସ୍‌ ସବୁଠାରୁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର ମୁକାବିଲା ପୃଥିବୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଡାଇବେଟିସ ଫେଡେରେସନ (ଆଇଡିଏଫ) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବିଶ୍ୱ ମଧୁମେହ ଦିବସ ଅବସରରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରତିବର୍ଷ ପୃଥିବୀରେ ହାରାହାରି ୪୦ ଲକ୍ଷ ଲୋକଙ୍କର ଡାଇବେଟିସ୍‌ ସମସ୍ୟା ଯୋଗୁ ମୃତ୍ୟୁ ଘଟୁଛି। ତେବେ, ୨୦୨୧ ବର୍ଷରେ ୬୭ ଲକ୍ଷ ଲୋକଙ୍କର କରୋନା ମହାମାରୀ ସମୟରେ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ପୃଥିବୀରେ ପ୍ରତି ଦଶ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଡାଇବେଟିସ୍‌ ସମସ୍ୟାରେ ଆକ୍ରାନ୍ତ ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ସେହିପରି ୨୩ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସେମାନଙ୍କର ରୋଗ ବିଷୟରେ ମଧ୍ୟ ଜଣା ନାହିଁ। ପ୍ରତି ୬ ଜଣରେ ଜଣେ ଶିଶୁଙ୍କୁ ଜନ୍ମଜାତ ଡାଇବେଟିସ୍‌ ସମସ୍ୟା ଭୋଗିବାକୁ ପଡୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ଚାଇନା ପରେ ଭାରତ ଡାଇବେଟିସ୍‌ ସମସ୍ୟା ଜନସଂଖ୍ୟା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି।

୨୦୨୫ ସୁଦ୍ଧା ଭାରତରେ ଡାଇବେଟିସ୍‌ ସମସ୍ୟା ଥିବା ଲୋକଙ୍କ ସଂଖ୍ୟା ୬ କୋଟି ୯୯ ଲକ୍ଷରୁ ଅଧିକରେ ପହଞ୍ଚିବ। ସେହିପରି ୨୦୩୦ ବେଳକୁ ଏହା ୮ କୋଟି ପାର୍‌ ହେବାର ଆଶଙ୍କା ରହିଛି।

ଚାଇନାରେ ଡାଇବେଟିସ୍‌ ସମସ୍ୟା ଥିବା ଲୋକଙ୍କ ସଂଖ୍ୟା୧୦ କୋଟି ୯୬ ଲକ୍ଷରୁ ଅଧିକ ରହିଛି। ବ୍ରିଟେନର ପ୍ରତି କୋଡ଼ିଏ ଜଣରେ ଜଣେ ବୟସ୍କ ଡାଇବେଟିସ୍‌ ସମସ୍ୟା ଭୋଗୁଛନ୍ତି। ଏହି ସ୍ବାସ୍ଥ୍ୟ ସମସ୍ୟା ଯୋଗ ପୃଥିବୀର ବିଭିନ୍ନ ରାଷ୍ଟ୍ର ଉପରେ ୯୬୬ ଶହ କୋଟି ଡଲାରର ବୋଝ ପଡୁଛି। ଗତ ୧୫ ବର୍ଷ ମଧ୍ୟରେ ଏହା ୩୧୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ଆର୍ଥିକ ବୋଝ ଆଗାମୀ ସମୟରେ ବହୁଗୁଣିତ ହେବାର ଆଶଙ୍କା ରହିଛି।

Share