ନୂଆଦିଲ୍ଲୀ,୨୦।୧୨ : ଭାରତରେ, ୨୦୨୧ ମସିହାରେ ପ୍ରତିଦିନ ୧୧୫ ଦିନ ମଜୁରିଆ ଏବଂ ୬୩ ଗୃହିଣୀ ଆତ୍ମହତ୍ୟା କରିଥିଲେ। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୧,୬୪,୦୩୩ ଆତ୍ମହତ୍ୟା ଘଟଣା ଘଟିଥିଲା । ମଙ୍ଗଳବାର ଲୋକ ସଭାରେ ସରକାର ଏହି ସୂଚନା ଦେଇଛନ୍ତି।
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଆଧାରରେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଗତ ବର୍ଷ ମୋଟ ୪୨,୦୦୪ ଦିନ ମଜୁରିଆ ଏବଂ ୨୩,୧୭୯ ଗୃହିଣୀ ଆତ୍ମହତ୍ୟା କରିଛନ୍ତି। ମୋଟାମୋଟି ଭାବେ ୨୦,୨୩୧ ଆତ୍ମନିର୍ଭରଶୀଳ ବ୍ୟକ୍ତି, ୧୫,୮୭୦ ବେତନ ପ୍ରାପ୍ତ ବ୍ୟକ୍ତି, ୧୩,୭୧୪ ବେକାର, ୧୩,୦୮୯ ଛାତ୍ର, ୧୨,୦୫୫ ବ୍ୟବସାୟୀ ଏବଂ ବେସରକାରୀ ଉଦ୍ୟୋଗରେ ଜଡିତ ୧୧,୪୩୧ ଲୋକ ଗତ ବର୍ଷ ଆତ୍ମହତ୍ୟା କରିଥିଲେ।
ରାୟ କହିଛନ୍ତି ଯେ କୃଷି କ୍ଷେତ୍ରରେ ନିୟୋଜିତ ୧୦,୮୮୧ ଲୋକ, ୫,୫୬୩ କୃଷି ଶ୍ରମିକ, ୫,୩୧୮ କୃଷକ ଆତ୍ମହତ୍ୟା କରିଛନ୍ତି। ଏହା ବ୍ୟତୀତ, ୪,୮୦୬ ଏପରି ବ୍ୟକ୍ତି ମଧ୍ୟ ଆତ୍ମହତ୍ୟା କରିଛନ୍ତି ଯେଉଁମାନେ କୃଷି ଶ୍ରମିକଙ୍କ ସାହାଯ୍ୟରେ କିମ୍ବା ବିନା ନିଜ ଜମିରେ ଚାଷ କରିଥିଲେ। ସେହିପରି ୫୧୨ ଭାଗଚାଷୀ ମଧ୍ୟ ଆତ୍ମହତ୍ୟା କରିଥିଲେ।