୨୦୨୩ରେ ୨୮ ଅହମ୍ମଦିଆ ଉପାସନାସ୍ଥଳରେ ହୋଇଛି ଭଙ୍ଗାରୁଜା: ପାକିସ୍ତାନ ସ୍ଥିତି ନେଇ ଜାତିସଂଘର ଚିନ୍ତା…

ଜେନେଭା,୧୨।୯ : ଚଳିତ ୨୦୨୩ ମସିହାରେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଅହମ୍ମଦିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୮ଟି ଉପାସନା ସ୍ଥଳ ଉପରେ ମୌଳବାଦୀ ଇସଲାମୀୟମାନଙ୍କ ଦ୍ୱାରା ଆକ୍ରମଣ ହୋଇଛି କିମ୍ବା ପୋଲିସ ଦ୍ୱାରା ଆଂଶିକ ଭାବେ ଭାଙ୍ଗି ଦିଆଯାଇଛି। ମଙ୍ଗଳବାର ଜାାତିସଂଘର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଜମାତ-ଏ-ଅହମ୍ମଦିଆ ପାକିସ୍ତାନ ଆଣିଥିବା ରିପୋର୍ଟରେ କୁହାଯାଇଛି ଜାନୁୟାରୀ ୨୦୨୩ ଠାରୁ ସାରା ଦେଶରେ ଏହାର ଉପାସନା ସ୍ଥଳକୁ ଅପବିତ୍ର କରିବାର ୨୮ ଟି ଘଟଣା ଘଟିଛି। ସେଥିମଧ୍ୟରୁ ୧୦ ଟି ସିନ୍ଧରେ ଏବଂ ଅବଶିଷ୍ଟ ପଞ୍ଜାବ ପ୍ରଦେଶରେ ଘଟିଛି। ରିପୋର୍ଟରେ କୁହାଯାଇଛି କେତେକ ଅହମ୍ମଦିଆ ଉପାସନା ସ୍ଥଳରେ ମୌଳବାଦୀ ଇସଲାମ ଦଳ ଆକ୍ରମଣ କରିଥିଲାବେଳେ ଅନ୍ୟ ଘଟଣାରେ ପୋଲିସ ଧାର୍ମିକ ମୌଳବାଦୀଙ୍କ ଚାପରେ କେତେକ ଅଂଶ ଭାଙ୍ଗି ପବିତ୍ର ଲେଖାଗୁଡ଼ିକୁ ହଟାଇ ଦେଇଥିଲା। ପଞ୍ଜାବ ପ୍ରଦେଶର ପୋଲିସ ଅହମ୍ମଦିଆ ଉପାସନାସ୍ଥଳୀରେ କେତେକ ଭଙ୍ଗାରୁଜା କରିଥିଲା।

ଖବର ଅନୁଯାୟୀ ତେହେରିକ-ଇ-ଲାବବାକ ପାକିସ୍ତାନ (ଟିଏଲପି) ଅହମ୍ମଦିଆ ସମ୍ପ୍ରଦାୟଙ୍କ ପ୍ରତି ଘୃଣାଭାବ ବିସ୍ତାର କରିବା ସହ ଉପାସନା ସ୍ଥଳ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଉପରେ ଚାପ ପକାଉଛି। ତେବେ ଏଭଳି କୌଣସି ଘଟଣାରେ ସମ୍ପୃକ୍ତ ଥିବାରୁ ଟିଏଲପି କର୍ମଚାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲା ପଞ୍ଜିକୃତ ହୋଇନାହିଁ। ପାକିସ୍ତାନର ଏଭଳି ସ୍ଥିତି ନେଇ ଜାତିସଂଘର ଚିନ୍ତା ବ୍ୟକ୍ତ କରିଛି।

Share