୨୦୨୩ରେ ଚାଇନାକୁ ଟପିବ ଭାରତ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଲୋକ ଚାଇନାରେ ବସବାସ କରନ୍ତି। ବିଶ୍ୱ ଜନସଂଖ୍ୟାରେ ଚାଇନା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏହାପଛକୁ ଅର୍ଥାତ୍‌ ଦ୍ୱିତୀୟରେ ଭାରତ ରହିଛି। ମାତ୍ର ଗୋଟିଏ ମାସ ପରେ ଏହି ସ୍ଥାନ ପରିବର୍ତ୍ତନ ହେବାର ଦେଖିବାକୁ ମିଳିବ। ଜନସଂଖ୍ୟା କ୍ଷେତ୍ରରେ ଚାଇନାକୁ ଟପିବାକୁ ଯାଉଛି ଭାରତ। ୨୦୨୩ରେ ବିଶ୍ୱର ଜନବହୁଳ ଦେଶ ଭାବେ ପରିଗଣିତ ହେବ ଭାରତ। ଜାତିସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ସମ୍ବନ୍ଧୀୟ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଚଳିତବର୍ଷର ଓ୍ବାଲର୍‌ଡ ପପୁଲେଶନ୍‌ ରିପୋର୍ଟ ଅନୁସାରେ ଚାଇନାର ମୋଟ ଜନସଂଖ୍ୟା ୧.୪୨୬ ବିଲିୟନ ଥିବାବେଳେ ଭାରତର ମୋଟ ଜନସଂଖ୍ୟା ୧.୪୧୭ ବିଲିୟନ ରହିଛି।
ରିପୋର୍ଟରେ ପ୍ରଦତ୍ତ ତଥ୍ୟ ଅନୁସାରେ ଆସନ୍ତା ୧୫ରେ ବିଶ୍ୱ ଜନସଂଖ୍ୟା ୮ ବିଲିୟନ (୮୦୦ କୋଟି)ରେ ପହଞ୍ଚିବ। ୨୦୨୦ ସୁଦ୍ଧା ସାରା ବିଶ୍ୱର ଜନସଂଖ୍ୟା ୭୮୩.୬୬ କୋଟି ରହିଛି। ସେହିଭଳି ୨୦୩୦ ବେଳକୁ ଏହି ସଂଖ୍ୟା ୮.୫ ବିଲିୟନରେ ପହଞ୍ଚତ୍ୟିବ। ଚଳିତ ବର୍ଷ ଜୁଲାଇରେ ୟୁଏନ୍‌ ଓ୍ବାଲର୍‌ଡ ପପୁଲେଶନ୍‌ ପ୍ରୋସ୍ପେକ୍ଟସ୍‌ ୨୦୨୨ରେ ଏହି ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ନଭେମ୍ବର ୧୫ ତାରିଖ ପୂର୍ବରୁ ଏହି ରିପୋର୍ଟ ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ୧୯୫୦ ମସିହାଠାରୁ ପ୍ରଥମ ଥର ପାଇଁ ୨୦୨୦ରେ ବିଶ୍ୱ ଜନସଂଖ୍ୟା ୧% କମିଛି। ୨୦୫୦ ବେଳକୁ କଙ୍ଗୋ, ଇଜିପ୍ଟ, ଇଥିଓପିଆ, ଭାରତ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆର ମୋଟ ଜନସଂଖ୍ୟାରେ ୫୦% ବୃଦ୍ଧି ଘଟିବ। ସେହିବର୍ଷ ବିଶ୍ୱ ଜନସଂଖ୍ୟା ୯.୭ ବିଲିୟନ ଛୁଇଁବ। ୨୦୮୦ରେ ଓ୍ବାଲର୍‌ଡ ପପୁଲେଶନ୍‌ ୧୦.୪ରେ ପହଞ୍ଚତ୍ବ, ଯାହା ୨୧୦୦ ପର୍ଯ୍ୟନ୍ତ ସ୍ଥିର ରହିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।
୨୫ରୁ ୬୪ ବର୍ଷ ବୟସ ବର୍ଗଙ୍କ ସଂଖ୍ୟା ବୃଦ୍ଧି ଜରିଆରେ ବୈଶ୍ୱିକ ଅର୍ଥନୀତିରେ ଅଭିବୃଦ୍ଧି ଆସିବା ସମ୍ଭାବନା ରହିଛି। ଚିକିତ୍ସା ବିଜ୍ଞାନର ଉନ୍ନତୀକରଣ ଦ୍ୱାରା ବିଶ୍ୱରେ ଶିଶୁମୃତ୍ୟୁ ହାର କମିବ। ଜନସଂଖ୍ୟା ବୃଦ୍ଧି ଜୈବ ବିବିଧତାରେ ଅନେକ ପରିବର୍ତ୍ତନ ଆଣିବ ବୋଲି ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି।

Share