୩ ବର୍ଷରେ ବସ୍ତି ହେବ ଆଦର୍ଶ କଲୋନି

ଭୁବନେଶ୍ୱର (ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୨୮।୯: ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନିରେ ପରିଣତ ହେବ। ସୋମବାର ଭିଡିଓ କନ୍‌ଫରେନ୍ସରେ ଫକୀରମୋହନଙ୍କ ଭୂମି, ଓଡିଆ ଭାଷା ସୁରକ୍ଷାର ଭୂମି ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସହରରେ ବିକାଶଠାରୁ ଆରମ୍ଭ କରି କୋଭିଡ୍‌ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ଏହି ଯୋଜନାରେ ବସ୍ତିରେ ବିଜୁଳି, ପିଇବା ପାଣି, ରାସ୍ତା, ଗୋଷ୍ଠୀ କେନ୍ଦ୍ର ଆଦିର ବିକାଶ କରି ବସ୍ତି ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଅଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି। ମୁଖ୍ୟମନ୍ତ୍ରୀ କୋଭିଡ୍‌ ନିୟମ ପାଳନ ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ୪୧ ବସ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟର ୧,୦୫,୦୦୦ ବସ୍ତି ଲୋକଙ୍କୁ ଭୂମି ଅଧିକାର ସାର୍ଟିଫିକେଟ(ଏଲଇସି) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଗାମୀ ୩ ମାସରେ ୧ ଲକ୍ଷ ୬୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଲଇସି ଦିଆଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ୧୦୧ ପୌରାଞ୍ଚଳର ୧୭୧୮ ବସ୍ତିର ସାଢେ ୪ ଲକ୍ଷ ଲୋକ ଏଲଇସି ଦ୍ୱାରା ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାର ଏଓପି ଡକ୍ୟୁମେଣ୍ଟକୁ ଉନ୍ମୋଚିତ କରିଥିଲେ। ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଦିଲ୍ଲୀସ୍ଥିତ ସେଣ୍ଟର ଫର ପଲିସି ରିସର୍ଚ୍ଚ ମଧ୍ୟରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ବାକ୍ଷର କରାଯାଇଛି। ଏହି ସଂସ୍ଥା କାର୍ଯ୍ୟକ୍ରମର ନଲେଜ ପାର୍ଟନର ଭାବେ ସହାୟତା ଯୋଗାଇବ।
ବାଲେଶ୍ୱରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଛନ୍ତି, ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତୀକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି। ବସ୍ତି ଜନସାଧାରଣ ସମାନ ସୁବିଧା ଓ ଅଧିକାର ପାଇପାରିବେ। ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ସ୍ବାଗତ ଭାଷଣ ଦେଇଥିବା ବେଳେ ଜାଗାମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି. କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Share