Categories: ଜାତୀୟ

୪ ମାସରେ ନିଯୁକ୍ତି ହରାଇଲେଣି ୧.୮୯ କୋଟି

ନୂଆଦିଲ୍ଲୀ, ୨୦।୮(ପି.ଟି.): କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ଏକ ଆକଳନ ଅନୁଯାୟୀ କେବଳ ଜୁଲାଇ ମାସରେ ୫୦ ଲକ୍ଷ ବେତନଭୋଗୀ ନିଯୁକ୍ତି ହରାଇଥିବାବେଳେ ଏପ୍ରିଲ୍‌ରୁ ଇତିମଧ୍ୟରେ ପାଖାପାଖି ୨ କୋଟି ଲୋକଙ୍କ ଚାକିରି ଯାଇଛି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ସିଏମ୍‌ଆଇଇ ରିପୋର୍ଟ ଅନୁଯାୟୀ, କରୋନା ଜନିତ ଲକ୍‌ଡାଉନ ଯୋଗୁ ଏପ୍ରିଲରେ ମୋଟ ୧.୭୭ କୋଟି ବେତନଭୋଗୀ ନିଯୁକ୍ତି ହରାଇଥିଲେ। ମେ’ ଓ ଜୁନ୍‌ରେ ସ୍ଥିତିରେ ଉନ୍ନତି ଆସିଥିଲା ଓ ୪୦ ଲକ୍ଷ ଲୋକ ନିଯୁକ୍ତି ଫେରିପାଇଥିଲେ। ତେବେ ଜୁଲାଇରେ ପୁଣି ୫୦ ଲକ୍ଷଙ୍କୁ ନିଯୁକ୍ତି ହରାଇବାକୁ ପଡ଼ିଛି। ଏହାକୁ ମିଶାଇ ମୋଟ ୧.୮୯ କୋଟି ନିଯୁକ୍ତି ହରାଇ ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାବେଳେ ନିକଟରେ ଏଥିରେ ସୁଧାର ଆସିବା ଭଳି ଜଣାପଡ଼ୁନାହିଁ। ଏଥିସହିତ ବେତନଭୋଗୀ କର୍ମଚାରୀ ନିଯୁକ୍ତି ହରାଇବା ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି। ଭାରତରେ ମୋଟ ନିଯୁକ୍ତିର ୨୧ ପ୍ରତିଶତ ବେତନଭୋଗୀ କର୍ମଚାରୀ, ଯାହାକି ଅଣଆନୁଷ୍ଠାନିକ ସେକ୍ଟରରେ ନିଯୁକ୍ତଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ୍‌। ଏପ୍ରିଲରୁ ଅଣଆନୁଷ୍ଠାନିକ ସେକ୍ଟର ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତିରେ ସାମାନ୍ୟ ଉନ୍ନତି ହୋଇଥିବାବେଳେ ବେତନଭୋଗୀ ନିଯୁକ୍ତି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି।
୪ ମାସରେ ପାଖାପାଖି ୨ କୋଟି ଲୋକ ନିଯୁକ୍ତି ହରାଇବା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨ କୋଟି ପରିବାରର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଛି। ଫେସ୍‌ବୁକ୍‌ରେ ମିଛ ଖବର ଓ ହିଂସା ଉଦ୍ରେକକାରୀ ଭାଷଣ ଦେଇ ବେରୋଜଗାରୀ ଏବଂ ଦେଶର ଆର୍ଥିକ ବିପର୍ଯ୍ୟୟ ଜନିତ ସତ୍ୟତାକୁ ଲୁଚାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

Share