୮ ଦିନରେ ୯୪୮ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ କରୋନାର କୋପ କମୁଥିବା ବେଳେ ପିଲାଙ୍କ ସଂକ୍ରମଣ ଏବେ ଚିନ୍ତା ଘାରିଛି। ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୦ଲକ୍ଷ ଟପିଥିବା ବେଳେ ଏଥିରେ ପିଲା ଅଛନ୍ତି ପ୍ରାୟ ଏକ ଲକ୍ଷ। ଆଉ ୩୬ ପିଲାଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଗତ ୧୫ତାରିଖରେ ଦୈନିକ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଥିଲେ। ସେହିଦିନ 0ରୁ ୧୮ ବର୍ଷ ଭିତରେ ୧୩୮ଜଣ ପିଲା ଚିହ୍ନଟ ହୋଇଥିଲେ। ୮ଦିନ ହେଲାଣି ଦୈନିକ ଶହେ ଉପରେ ଚିହ୍ନଟ ହେଉଛନ୍ତି ପିଲା। ଖାଲି ସେତିକି ନୁହେଁ ରାଜ୍ୟର ମୋଟ ସଂକ୍ରମିତର ପ୍ରାୟ ୧୦% ଉପରେ ରହୁଛନ୍ତ 0ରୁ ୧୮ବର୍ଷ କମ୍‌ ବୟସ୍କ ପିଲା। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୫୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରେ କେବଳ ପିଲା ରହିଛନ୍ତି ୧ ଶହ। ଯାହା ପାଖାପାଖି ମୋଟ ସଂକ୍ରମଣର ୧୨% ରହିଛି। ଫଳରେ ଏହି ୮ଦିନରେ ରାଜ୍ୟରେ ୯୪୮ଜଣ ପିଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସେପଟେ ତୃତୀୟ ଲହରରେ ପିଲା ଅଧିକ ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଥିବା ବେଳେ ଏବେ ରାଜ୍ୟରେ ପ୍ରତିଦିନ ସଂକ୍ରମିତ ପିଲାଙ୍କ ତଥ୍ୟ ଦେଖି ରାଜ୍ୟବାସୀଙ୍କ ମନରେ ଭୟ ଦେଖାଦେଲାଣି।

Share